ବାଲେଶ୍ୱର : ଆଇଓସିଏଲ ପକ୍ଷରୁ ଆପାତକାଳୀନ ଅନସାଇଟ୍ ମକଡ୍ରିଲ
ବାଲେଶ୍ୱର : ବାଲେଶ୍ୱର ହିଡିଗାଁ ସ୍ଥିତ ଆଇଓସିଏଲ (ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍)ର ପାରାଦ୍ୱୀପ-ହଳଦିଆ-ବାରୁଣୀ ପାଇପଲାଇନ ପ୍ଲାଣ୍ଟ ପ୍ରାଙ୍ଗଣରେ ଶନିବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ଏକ ଆପାତକାଳୀନ ଅନସାଇଟ୍ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ଭାବେ ଯେତେବେଳେ ଅଏଲ ପାଇପଲାଇନରେ କୌଣସି ଅଗ୍ନିକାଣ୍ଡ ଘଟେ, ତେବେ ସେତେବେଳେ କିଭଳି ତାକୁ ତତ୍କ୍ଷଣାତ୍ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ଏହି ମକଡ୍ରିଲ ମାଧ୍ୟମରେ ଅଭ୍ୟାସ କରାଯାଇଥିଲା ।
ଏଥିରେ ଏନ୍ଡିଆରଏଫ୍, ଅଗ୍ନିଶମ ଏବଂ ଆଇଓସିଏଲ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ଓ ସମସ୍ତ ଶ୍ରମିକ ଅଂଶଗ୍ରହଣ କରିଥିଲେ । ଆଇଓସିଏଲ (ପିଏଚବିପିଏଲ)ର ଚିଫ ଅପରେସନ ମ୍ୟାନେଜର ମହେନ୍ଦ୍ର କୁମାର ସାହୁ ଅଗ୍ନିକାଣ୍ଡ ସମୟରେ ଧନଜୀବନ ରକ୍ଷା କରିବାର ବିଭିନ୍ନ ଉପାୟ ଏବଂ କୌଶଳ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଅଗ୍ନିଶମ ଅଧିକାରୀ ଶାନ୍ତନୁ ଲେଙ୍କା, ଏନଡିଆରଏଫ୍ ଇନସପେକ୍ଟର ମନୋରଞ୍ଜନ ମହାନ୍ତି ଏବଂ ପିଏଚବିପିଏଲର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ । ଜିଲା ପ୍ରଶାସନ ତରଫରୁ ଓସଡାମା ଜିଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିବା ସହିତ ନିଜର ବକ୍ତବ୍ୟ ରଖିଥିଲେ ।