ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ; ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ମା’-ଛୁଆ
ନୀଳଗିରି : ଖାଦ୍ୟ ଅନ୍ୱେଷଣରେ ଏବେ ଗାଁ ମୁହାଁ କୁଲଡ଼ିହା ହାତୀ । ଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲା ୨ ଜୀବନ । ଘର ବାରଣ୍ଡାରେ ଥିବା ଧାନ ଅଖାରୁ ଧାନ ଖାଇବା ସହିତ ବ୍ୟାପକ ଉପଦ୍ରବ ଘଟାଉଛନ୍ତି କୁଲଡ଼ିହା ହାତୀ । ଡରରେ ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ । ଅଞ୍ଚଳରେ ବନ ବିଭାଗର ପେଟ୍ରୋଲିଂ ହେଉ ନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧିନ କୁଲଡ଼ିହା ଅଭୟାରଣ୍ୟର ପାଦ ଦେଶରେ ଥିବା ଯୁଣିଆ ଗାଁରେ ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ରବିବାର ରାତିରେ ଗାଁର ଗୀତାଞ୍ଜଳି ନାୟକ ଘରେ ଛୁଆଙ୍କ ସହିତ ଖାଉଥିବା ସମୟରେ ହାତୀ ପଛପଟୁ ଘର ଭାଙ୍ଗିଥିଲା । ଏନେଇ ଜାଣିପାରି ମା’ ଛୁଆ ଦୌଡ଼ି ପଡ଼ୋଶୀଙ୍କ ଘରକୁ ପଳାଇଥିଲେ । ସେହିପରି ଗାଁର ପ୍ରତାପ ନାୟକଙ୍କ ଘରୁ ଧାନ ଅଖାରୁ ଧାନ ଖାଇବା ସହିତ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଗାଁ ଲୋକ ମିଳିମିଶି ହାତୀଟିକୁ ଘଉଡ଼ାଇଥିଲେ । ହାତୀ ଉପଦ୍ରବ ନେଇ ଗ୍ରାମବାସୀ ବାରମ୍ୱାର ବନ ବିଭାଗକୁ କହିବା ପରେ ମଧ୍ୟ ଅଞ୍ଚଳରେ ପେଟ୍ରୋଲିଂ ହେଉନାହିଁ । ଫଳରେଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବନ ବିଭାଗ ପେଟ୍ରୋଲିଂ କରିବାକୁ ଜିଲା ପ୍ରଶାସନକୁ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଦା ।