ନଭେମ୍ବର ୬ରେ ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଆୟୋଗ
ଭୁବନେଶ୍ୱର : ରାଜ୍ୟରେ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ ନିମନ୍ତେ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ଏକ ସର୍ବଦଳୀୟ ବୈଠକ ନିମନ୍ତେ ନିର୍ବାଚନ ଆୟୋଗଙ୍କ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବର୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି/ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗଦେଇପାରିବେ ।