ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୪.୬% ରହିବ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯାହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି । ୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୪.୬% ରହିବ । ଜାତିସଂଘ ପକ୍ଷରୁ ଏହି ଅନୁମାନ କରାଯାଇଛି । ପୂର୍ବ ଅନୁମାନ ତୁଳନାରେ ଏହା ୨%ରୁ ଅଧିକ କମ୍ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ଏହି ସଂଶୋଧିତ ଆକଳନ କରିଛି । ଯୁଦ୍ଧ ଯୋଗୁଁ ଭାରତର ଶକ୍ତିକ୍ଷେତ୍ର ଉପରେ ପ୍ରଭାବ ପଡୁଛି । ଏହାସହିତ ଖାଦ୍ୟ ମୁଦ୍ରାସ୍ଫୀତି ଚାପ ମଧ୍ୟରେ ରହିଛି । ଯୁଦ୍ଧ ଯୋଗୁଁ ମୁଦ୍ରାନୀତିକୁ କଡ଼ାକଡ଼ି କରାଯାଇପାରେ । ଏହାସହିତ ବିତ୍ତୀୟ ଅସ୍ଥିରତା ମଧ୍ୟ ଦେଖାଦେଇପାରେ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ତେବେ ପୂର୍ବରୁ ୨୦୨୨ ପାଇଁ ବିଶ୍ୱ ଅର୍ଥନୀତି ନିମନ୍ତେ ଏହାର ଅଭିବୃଦ୍ଧି ଅନୁମାନ ୩.୬% ଥିବାବେଳେ ବର୍ତ୍ତମାନ ଜାତିସଂଘ ଏହାକୁ ୨.୬%କୁ ଖସାଇଛି । ରିପୋର୍ଟରେ କୁହାଯାଇଛିଯେ, ଚଳିତବର୍ଷ ଋଷ ଏକ ବଡ଼ ମାନ୍ଦାବସ୍ଥାର ସାମ୍ନା କରିବ । ପାଶ୍ଚାତ୍ୟ ୟୁରୋପ ଏବଂ ମଧ୍ୟ, ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟ ମାନ୍ଦାବସ୍ଥା ସମ୍ଭାବନା ରହିଛି । ୨୦୨୨ରେ ଭାରତ ୬.୭% ଅଭିବୃଦ୍ଧି ନେଇ ବଢ଼ିବ ବୋଲି ପୂର୍ବରୁ ଜାତିସଂଘ ଅନୁମାନ କରିଥିଲା।