ଶିକ୍ଷା ହିଁ ଚରିତ୍ର ଗଠନର ମୂଳ ମନ୍ତ୍ର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଧର୍ମଶାଳା : ଶିକ୍ଷା ହିଁ ଚରିତ୍ର ଗଠନର ମୂଳ ମନ୍ତ୍ର । ଏଥି ସହିତ ଦୃଢ ବିଶ୍ୱାସ ରହିବା ଜରୁରୀ । ସୂର୍ଯ୍ୟ ଯେପରି ପୃଥିବୀର ଅନ୍ଧାରକୁ ଦୂର କରନ୍ତି ଠିକ୍ ସେହିପରି ଗୁରୁଗୁଳ ଓ ତାର ଆଦର୍ଶ ଶିକ୍ଷକମାନେ ଉଚ୍ଚକୋଟୀର ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରୁଛନ୍ତି । ବୈଷୟିକ ଜ୍ଞାନ କୌଶଳ ଯେତେ ଉନ୍ନତି କଲେ ମଧ୍ୟ କ୍ଷଣିକ ସମୟରେ ସବୁ ନଷ୍ଠ କରି ଦେଇଥାଏ । ସାହିତ୍ୟ ଓ ସଂସ୍କୃତି ଉପରେ ସବୁ ବେଳେ ନଜର ରହିବା ଦରକାର । ଭାରତବର୍ଷରେ ସବୁ ଅଛି । ତାହାକୁ ବ୍ୟବହାର କରିବା ଦରକାର ବୋଲି ଆଜି ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ବକ୍ତବ୍ୟ ମାଧ୍ୟମରେ ମତପ୍ରକାଶ କରିଥିଲେ । ଆଜି ଅପରାହ୍ନରେ ପ୍ରଥମେ ସେ ଧର୍ମଶାଳା ବ୍ଲକ ହରିଦାସପୁରସ୍ଥ ଗୁରୁକୁଳ ପବ୍ଲିକ୍ ସ୍କୁଲର ବାର୍ଷିର୍କ ଉତ୍ସବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ ସ୍କୁଲର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ । ପରେ ସେ ଧର୍ମଶାଳାସ୍ଥ ଧର୍ମଶାଳା ବାଣୀପୀଠର ୭୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ବୀଣାପୀଠ ପରିସରରେ ଥିବା ଫଳକକୁ ଲୋକାର୍ପଣ କରିଥିଲେ । ଯାଜପୁର ଜିଲାର ପୂର୍ବତନ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲାର ବିଭିନ୍ନ ଅଂଚଳର ବହୁ ପ୍ରତିଭାଧାରୀଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ଶେଷରେ ସେ ଜାରକାସ୍ଥିତ କଳ୍ପତରୁ ଷ୍ଟାଡିୟମ ପରିସରରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ୪୮ତମ ସମାବର୍ତନ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସାହିତ୍ୟ ସମାଜର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶିକ୍ଷାବିତ୍,ସାହିତ୍ୟିକ ଓ ପରିବେଶବିତ୍ମାନଙ୍କୁ ମୁଖ୍ୟଅତିଥି ସମ୍ମାନୀତ କରିଥିଲେ । ଏହି ତିନୋଟି ଅନୁଷ୍ଠାନ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।