ଭାରତ ଓ ବ୍ରାଜିଲ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ ଅଧିକ ମଜବୁତ୍ କରାଯିବ : ଧର୍ମେନ୍ଦ୍ର ପ୍ରଧାନ
ବ୍ରାଜିଲ୍ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ବାଲି : ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ ପୂର୍ବରୁ ଆଜି ଇଣ୍ଡୋନେସିଆର ବାଲି ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭିକ୍ଟୋର ଗୋଡୋଏ ୱେଗାଇସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ୟମିତା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଜଏଣ୍ଟ ୱାର୍କିଂ ଗ୍ରୁପର ପୁନରୁଦ୍ଧାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି ।
ଉର୍ଜା ସୁରକ୍ଷା, ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା, ପାରମ୍ପରିକ ଔଷଧ, ଯୋଗ, ଆୟୁର୍ବେଦ ଏବଂ ଡ଼ିଜଟାଲ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଗବେଷଣାକୁ ଅଧିକ ମଜବୁତ୍ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଉଭୟ ଦେଶର ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡ଼ିକୁ ଯୋଡ଼ାଗଲେ ଉଭୟ ରାଷ୍ଟ୍ର ଲାଭପ୍ରଦ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ଅଧିକ ସଦୃଢ଼ କରିବା ଦିଗରେ ଇଚ୍ଛାପ୍ରକାଶ କରିଛନ୍ତି । ଏହାସହ ଏଜୁକେସନ ୱାର୍କିଂ ଗ୍ରୁପର ଏଜେଣ୍ଡାରେ ଭାରତ ପ୍ରତି ବ୍ରାଜିଲର ସମର୍ଥନ ରହିଥିବା ସେ ସହମତି ପ୍ରକାଶ କରିଥିଲେ । ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଜି ବାଲିରେ ପହଞ୍ଚିବା ପରେ ଇଣ୍ଡୋନେସିଆ ଶିକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଡ଼. ଇୱାନ ଶ୍ୟାରିଲ୍ ଇଣ୍ଡୋନେସିଆର ପାରମ୍ପରିକ ଶୈଳିରେ ତାଙ୍କୁ ସ୍ୱାଗତ କରିଥିଲେ ।