ରାଜ୍ୟରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଇକମୋ ସେବା
ଭୁବନେଶ୍ୱର : ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ କଟକ ଏସସିବି ମେଡ଼ିକାଲରେ ଆରମ୍ଭ ହେବ ଇକମୋ ସେବା । ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଏସସିବିରେ ୯ଟି ମେସିନ ରଖାଯାଇଛି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି । ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଆଉ ଗୋଟିଏ ଟିମ୍ ଖୁବଶୀଘ୍ର କଲିକତା ଯିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ଡ଼ିଏମଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସମସ୍ତ ୯ଟି ମେସିନ ଇନଷ୍ଟଲ ହୋଇସାରିଛି । ମେସିନଗୁଡ଼ିକୁ ଆମେ ଦୁଇ ଭାଗରେ ବିଭକ୍ତ କରିବୁ । ଏହି ସୁବିଧା ପାଇଁ ମେଡ଼ିକାଲରେ ୨ଟି ୟୁନିଟ ଗଠନ କରାଯାଇଛି ।ପ୍ରଥମ ୟୁନିଟରେ ୬ଟି ଓ ଦ୍ୱିତୀୟ ୟୁନିଟିରେ ୩ ମେସିନ୍ ରହିବାର ବ୍ୟବସ୍ଥାମାନ କରାଯାଇଛି । ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ ବୋଲି ଡିଏମଇଟି କହିଛନ୍ତି ।