ବାରିପଦା : ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଷ୍ଟ ଜୋନ ପୁରୁଷ ବିଭାଗ କବାଡି ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି । ଏହି ପ୍ରତିଯୋଗିତା ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖରେ ଉଦ୍ଯାପିତ ହେବ । ଗ୍ରୁପ-ଏ ମ୍ୟାଚରେ ୧୪ଟି ବିଶ୍ୱବିଦ୍ୟାଳୟ, ଗ୍ରୁପ-ବିରେ ୧୪ଟି ବିଶ୍ୱବିଦ୍ୟାଳୟ, ଗ୍ରୁପ୍ -ସିରେ ୧୫ଟି ବିଶ୍ୱବିଦ୍ୟାଳୟ ଏବଂ ଗ୍ରୁପ-ଡିରେ ୧୫ଟି ବିଶ୍ୱବିଦ୍ୟାଳୟ ତଥା ସର୍ବମୋଟ ୫୮ଟି ବିଶ୍ୱବିଦ୍ୟାଳୟ ବାରିପଦାରେ ଅଂଶ ଗ୍ରହଣ କରିବେ । ସକାଳ ମ୍ୟାଚ ୭.୩୦ମିନିଟରେ ଆରମ୍ଭ ହେବ ଏବ ପୂର୍ବାହ୍ନ ମ୍ୟାଚ ଦିନ ୨ଟାରେ ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟ ଟିମ ମାନେ ଫିକ୍ସଚର ଅନୁସାରେ ଖେଳ ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ରିପୋର୍ଟ କରିବେ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ ଏଭଳି ଏକ ପ୍ରତିଯୋଗିତା ହାତକୁ ନେଇଥିବାରୁ ଖେଳାଳି ଏବଂ ଖେଳପ୍ରେମୀ ମାନେ ବେଶ୍ ଉତ୍ସାହିତ ଥିବାର ଦେଖାଯାଉଛି । ସେହିପରି ବିଶ୍ୱବିଦ୍ୟାଳୟ କୁଳପତି ତଥା ପି.ଜି. କାଉନସିଲ ଚେୟାରମେନ ପ୍ରଫେସର ପ୍ରମୋଦ କୁମାର ଶତପଥୀ, କୂଳ ସଚିବ ସହଦେବ ସମାଧିୟା, କଣ୍ଟ୍ରୋଲର ଅଫ୍ ଫାଇନାନ୍ସ ସୁଖଦେବ ତରାଇ, ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଲକ୍ଷ୍ମୀଧର ଗିରି, ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ସେକ୍ରେଟେରୀ ଡ. ପ୍ରଭଞ୍ଜନ ମଲ୍ଲିକ, ଖେଳ ଶିକ୍ଷକ ପ୍ରଦୀପ୍ତ ରଂଜନ ଦାସ, ଇଷ୍ଟ ଜୋନ ଖେଳ ପରିଚାଳନା ନିମନ୍ତେ ବେଶ୍ ଉତ୍ସାହିତ ଅଛନ୍ତି । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଖେଳ ଶିକ୍ଷକ, ଖେଳାଳି ଏବଂ ଅଧ୍ୟକ୍ଷ ମାନଙ୍କର ସହଯୋଗରେ ଇଷ୍ଟ ଜୋନ କବାଡି ପ୍ରତିଯୋଗିତା ଠିକ୍ ଭାବରେ ପରିଚାଳିତ ହେବ ବୋଲି କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ କହିଛନ୍ତି । ଏହି ବର୍ଷ ବିଶ୍ୱବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ବାରିପଦାବାସୀ ଯେଭଳି ଉତ୍ସାହର ସହିତ ସାହାଯ୍ୟ କରିଥିଲେ, ସେହିଭଳି ସାହାଯ୍ୟ ଇଷ୍ଟଜୋନ କବାଡି ପ୍ରତିଯୋଗିତାରେ ମୟୂରଭଞ୍ଜବାସୀ, ଜନପ୍ରତିନିଧି ଓ ସାମ୍ବାଦିକ ବନ୍ଧୁମାନେ ସାହାଯ୍ୟ କରିବେ ବୋଲି କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏବଂ କୁଳସଚିବ ସହଦେବ ସମାଧିୟା ଆଶା ବ୍ୟକ୍ତ କରିଛନ୍ତି ।
Post Views: 36,573