ଅଣ୍ଡର-୧୯ ବିଶ୍ୱକପ ଲାଇଭ୍ ମ୍ୟାଚ୍ ବେଳେ ଭୂ-କମ୍ପ ଝଟ୍କା, ଦୋହଲିଲା ଷ୍ଟାଡ଼ିୟମ
ନୂଆଦିଲ୍ଲୀ : ବର୍ଷା, ବାତ୍ୟା ଓ ଖରାପ ଲାଇଟ୍ ପାଇଁ ଅନେକ ସମୟରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଲାଇଭ ମ୍ୟାଚ୍ ଚାଲିଥିବା ବେଳେ ଦୋହଲିଲା ଷ୍ଟାଡିୟମ । ଭୂମିକମ୍ପ ଝଟକାରେ ଥରିଲା ପଡିଆ । ଅଣ୍ଡର-୧୯ ବିଶ୍ୱକପ ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ଜିମ୍ବାୱେ ଓ ଆୟାରଲାଣ୍ଡ ବିପକ୍ଷରେ ଖେଳା ଯାଉଥିବା ମ୍ୟାଚ୍ ବେଳେ ଏପରି ଘଟଣା ଘଟିଥିଲା ।
ସୂଚନା ଯେ, ଶନିବାର ଜିମ୍ବାୱେ ଓ ଆୟାରଲାଣ୍ଡ ମଧ୍ୟରେ ପୋର୍ଟ ଅଫ୍ ସ୍ପେନରେ ମୁକାବିଲା ଖେଳାଯାଉଥିଲା । ମ୍ୟାଚ୍ ବେଳେ ହଠାତ ଭୂମିକମ୍ପର ଝଟକା ଲାଗିଥିଲା । ଷ୍ଟାଡିୟମ ହଲିବାକୁ ଲାଗିଥିଲା । କିନ୍ତୁ ଖେଳ ଉପରେ ଏହାକ କୌଣସି ପ୍ରଭାବ ପଡିନଥିଲା । ଜିମ୍ବାୱେ ବ୍ୟାଟିଂ ବେଳେ ଏହା ଘଟିଥିଲା । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍ ଲାଇଭ ଟେଲିକାଷ୍ଟ ପାଇଁ ସାମ୍ନାରେ ଲାଗିଥିବା କ୍ୟାମେରା ବି ଦୋହଲିବାକୁ ଲାଗିଥିଲା । ଖେଳାଳିମାନେ କିନ୍ତୁ ଏବାବଦରେ କିଛି ଜାଣିପାରି ନଥିଲେ । ତେବେ କମେଂଟ୍ରି କରୁଥିବା ଭାଷ୍ୟକାରମାନେ ଏ ବାବଦରେ ସୂଚନା ଦେଇଥିଲେ । ବକ୍ସ ଦୋହଲିବା ସହ ଅତି ନିକଟରେ କୌଣସି ଏକ ଟ୍ରେନ୍ ଯାଉଥିବା ଭଳି ଲାଗୁଥିବା ବୋଲି ଭାଷ୍ୟକାର କହିଥିଲେ । ଆୟାରଲାଣ୍ଡ କ୍ରିକେଟ୍ ମଧ୍ୟ ଭୂମିକମ୍ପ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛି । ତ୍ରିନିଦାଦ ସମୁଦ୍ର କୂଳରେ ୫.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବୋର୍ଡ ଟ୍ୱିଟ୍ କରିଛି ।