ଇ-ରୁପି ସୀମା ୧ ଲକ୍ଷ କୁ ବୃଦ୍ଧି ! ଏଣିକି ବ୍ୟବହାର ପାଇଁ ବ୍ୟାଙ୍କ ଆକାଉଣ୍ଟ ଜରୁରୀ ନୁହେଁ
ମୁମ୍ବାଇ :ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରିପେଡ୍ ଡିଜିଟାଲ ଭାଉଚର ଇ-ରୁପିର ସୀମାକୁ ୧ ଲକ୍ଷ ଟଙ୍କା କରି ଦିଆଯାଇଛି । ବର୍ତ୍ତମାନ ଯାଏ ଏହା ୧୦ ହଜାର ଟଙ୍କା ଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ବୈଠକ ପରେ କହିଛନ୍ତି, ଇ-ରୁପିକୁ ଅନେକଗୁଡ଼ିକ ଉପଯୋଗ ଲାଗି ମଧ୍ୟ ମଞ୍ଜୁରି ମିଳିଛି । ଇ-ରୁପି ପାଇଁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ରହିବା ଆବଶ୍ୟକ ନାହିଁ । ଏଥିସହିତ ଇଣ୍ଟରନେଟ୍ର ବି ଆବଶ୍ୟକତା ନାହିଁ । ଏହାର ଉପଯୋଗ ଏକ୍ରୁ ଅଧିକ ଥର କରାଯାଇପାରିବ ।
ଇ-ରୁପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ଅଗଷ୍ଟ ୨ରେ ଶୁଭାରମ୍ଭ କରିଥିଲେ । ଏହା ଏକ ଇଲେକ୍ଟ୍ରୋନିକ୍ ଭାଉଚର ଉପରେ ଆଧାରିତ ଡିଜିଟାଲ ପେମେଣ୍ଟ ସିଷ୍ଟମ । ଡିଜିଟାଲ କରେନ୍ସି ରୂପେ ଭାରତର ଏହା ପ୍ରଥମ ପଦକ୍ଷେପ ଥିଲା । ଏହା ଜରିଆରେ ଉପଭୋକ୍ତା ଏସ୍ଏମ୍ଏସ୍ କିମ୍ବା ଏକ କ୍ୟୁଆର୍ କୋଡ୍ ଜରିଆରେ ଟଙ୍କା ନେଇପାରିବେ । ଏହା ଏକ ଗିଫ୍ଟ ଭାଉଚର ଭଳି । ଏହାର ଉଦ୍ଦେଶ୍ୟ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା । ଏହା ଜରିଆରେ କ୍ୟାସ୍ଲେସ ଏବଂ କଣ୍ଟାକ୍ଟଲେସ୍ ପେମେଣ୍ଟ ହୋଇପାରିବ ।
ସରକାରଙ୍କ ଅନୁସାରେ ଏହା ଜରିଆରେ ଯୋଜନାଗୁଡିକର ଲାଭ ତୃଣମୂଳ ସ୍ତରରେ ପହଞ୍ଚାଯାଇପାରିବ । ଇ-ରୁପି ଏକ ପ୍ରିପେଡ୍ ଇ-ଭାଉଚର, ଯାହାକୁ ନ୍ୟାସ୍ନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଅର୍ଥାତ୍ ଏନ୍ପିସିଆଇ ବିକଶିତ କରିଛି । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଯେଉଁ କାର୍ଯ୍ୟ ପାଇଁ ଅର୍ଥରାଶି ଦିଆଯିବ, ଉକ୍ତ କାର୍ଯ୍ୟ ପାଇଁ ହିଁ ତାହାର ବ୍ୟବହାର ହେବ । ଅର୍ଥାତ୍ ସରକାର ଯଦି ପାଠପଢ଼ା ପାଇଁ ଏହା ଜରିଆରେ ଟଙ୍କା ଦେଉଛନ୍ତି ଏହାକୁ ଲୋକେ ସିଧା ସ୍କୁଲ ଏବଂ କଲେଜ ଯାଇ ଏହା ଜରିଆରେ ପେମେଣ୍ଟ କରିପାରିବେ।