‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ସଂଗୀତ ଲୋକାର୍ପିତ
ଭୁବନେଶ୍ୱର : ଓଡ଼ିଶା ଦିବସ ଅବସରରେ ଏକ ଦେଶାତ୍ମବୋଧକ ସଂଗୀତ ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି । ବସନ୍ତରାଜ ସାମଲଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ହ୍ୟୁମାନ୍ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ଶ୍ରୀଚରଣ ମହାନ୍ତି, ସବିଶେଷ ମିଶ୍ର, ଶଶାଙ୍କ ଶେଖର, ପ୍ରଜ୍ଞା ପ୍ରସ୍ମିତା ହୋତା, ବିଶ୍ୱଜିତ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର ଓ ସୋନମ ଦାଶ ପ୍ରମୁଖ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଏଥିରେ ଗୀତ ଗାଇଛନ୍ତି । ଏହି ଗୀତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ କଣ୍ଠଦାନ କରିଛନ୍ତି । ଜୟା ବିଶ୍ୱାସଙ୍କ ନିର୍ଦ୍ଦେଶନାରେ ଗୀତଟିର ଚିତ୍ରାୟନ କରାଯାଇଛି ଯେଉଁଥିରେ ଓଡ଼ିଶାର ସଂପଦ ଓ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରାଯାଇଛି ।
ରାଜ୍ୟପାଳ ପ୍ରଫେସର ଲାଲ ଏଭଳି ମହତ ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହିତ ଏହାର ସଫଳ ନିର୍ମାଣରେ ସଂପୃକ୍ତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉନ୍ମୋଚନ ଉତ୍ସବରେ ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଉପସ୍ଥିତ ଥିଲେ ।