କ୍ରୀଡା କ୍ଷେତ୍ରରେ ଭାରତୀୟ ମହିଳାଙ୍କ ନିକଟରେ ପ୍ରେରଣାର ଉତ୍ସ ଦୂତୀ ଚାନ୍ଦ
ଦୂତୀ ଚାନ୍ଦ ଜଣେ ମହିଳା ଧାବିକା ଅଟନ୍ତି। ସେ ବର୍ତ୍ତମାନ ୧୦୦ ମି. ଦୌଡ଼ରେ ଜାତୀୟ ଚ୍ୟାମ୍ପିୟନ ଅଟନ୍ତି । ୨୦୧୮ ଏସୀୟ କ୍ରୀଡାରେ ୧୦୦ମି ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟପଦକ ଜିତିଥିଲେ । ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
କ୍ରୀଡା କ୍ଷେତ୍ରରେ ଭାରତୀୟ ମହିଳାଙ୍କ ନିକଟରେ ପ୍ରେରଣାର ଉତ୍ସ ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ଯାଜପୁରର ଗୋପାଳପୁରରେ ଜନ୍ମ ଗ୍ରହଣ କରିଥିବା ଦୂତୀ ବର୍ତ୍ତମାନର ଦେଶର ଦ୍ରୁତତମ ଧାବିକା। ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପଦକ ଜିତି ଦେଶ ଓ ରାଜ୍ୟର ନାମକୁ ଉଚ୍ଚ କରିବା ସହିତ ଦେଶର ଅନେକ ମହିଳାଙ୍କ ଆଦର୍ଶ ପାଲଟିଛନ୍ତି। ଏକ ଗରିବ ପରିବାରରୁ ଆସିଥିବା ଦୂତୀ ନିଜର ଅଦମ୍ୟ ଉତ୍ସାହ ଏବଂ ପରିଶ୍ରମ ବଳରେ ନିଜକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଆଥଲେଟ୍ ଭାବରେ ପ୍ରମାଣିତ କରିଛନ୍ତି । ଲିଙ୍ଗଗତ ବୈଷମ୍ୟର ସମ୍ମୁଖୀନ ହୋଇ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଟ୍ରାକ୍ରୁ ଦୂରେଇ ରହିଥିଲେ ମଧ୍ୟ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ । ଲିଙ୍ଗଗତ ବୈଷମ୍ୟରୁ ବାହାରିବା ପରେ ଦୂତୀ ଜାତୀୟ ରେକର୍ଡ ନିଜ ନାମରେ କରିବା ସହିତ ନାପୋଲିରେ ଅନୁଷ୍ଠିତ ବିଶ୍ବ ବିଦ୍ୟାଳୟ କ୍ରୀଡାର ୧୦୦ ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହିତ ନିକଟରେ ସମାପିତ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ ଗେମ୍ସରେ ଦୂତୀ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସମସ୍ତ କୃତିତ୍ବ ବ୍ୟତିତ ଦୂତୀ ଦେଶର ପ୍ରଥମ ସମଲିଙ୍ଗୀ କ୍ରୀଡାବିତ୍ର ମାନ୍ୟତା ପାଇଛନ୍ତି ।
ଜୀବନ :
ଦୂତୀ ଚାନ୍ଦ ୩ ଫେବୃୟାରୀ ୧୯୯୬ରେ ଓଡ଼ିଶାର ଯାଜପୁର ଜିଲାସ୍ଥ ଗୋପାଳପୁରରେ ଜନ୍ମ ଗ୍ରହଣ କରିଥିଲେ । ପିତା ଚକ୍ରଧର ଆନନ୍ଦ ଓ ମାତା ଅଖୁଜି ଆନନ୍ଦ ବୁଣାକାର ପରିବାରର ଅଟନ୍ତି। ଭଉଣୀ ସରସ୍ୱତୀ ଚାନ୍ଦ ହେଉଛନ୍ତି ଦୂତୀଙ୍କର ପ୍ରେରଣାର ଉତ୍ସ। ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ଅନେକ ପଦକ ହାସଲ କରିପାରିଛନ୍ତି। ସେ କିଟ୍ ୟୁନିଭର୍ସିଟିରେ ଲ’ ପଢୁଛନ୍ତି । ନିଜର ଘନିଷ୍ଠ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଥିବା ଦୂତୀ ପ୍ରକାଶ କରିଥିଲେ ।
କ୍ୟାରିୟର୍ :
୨୦୧୨ ମସିହାରେ ଦୂତୀ ୧୮ ବର୍ଷରୁ କମ୍ ୧୦୦ ମି. ଦୌଡ଼ରେ ଜାତୀୟ ଚ୍ୟାମ୍ପିୟନ ହେଲେ (ସମୟ:୧୧.୮ ସେ.)।
ସେ ପୁଣେରେ ଆୟୋଜିତ ଏସିଆନ ଚାମ୍ପିଅନସିପରେ ୨୦୦ ମି. ଦୌଡ଼ ୨୩ . ୮୧୧ ସେ.ରେ ପୂର୍ଣ୍ଣ କରି ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲେ ।
୨୦୧୩ରେ ଦୂତୀ ପ୍ରଥମ ଭାରତୀୟ ଭାବେ ୱାର୍ଲଡ ୟୁଥ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଥିଲେ ।
ସେହି ବର୍ଷ ରାଞ୍ଚିରେ ଆୟୋଜିତ ନେସନାଲ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ୧୦୦ ମି. ଦୌଡ଼ ୧୧.୭୩ ସେ.ରେ ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ ।
ସେ ମଧ୍ୟ ଉକ୍ତ କ୍ରୀଡ଼ାର ୨୦୦ ମି. ଦୌଡ଼ରେ ନିଜ କ୍ୟାରିୟର ଶ୍ରେଷ୍ଠ (ସମୟ ୨୧.୭୩ ସେ.) ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
୨୦୧୮ ଏସୀୟ କ୍ରୀଡାରେ, ୧୦୦ମି ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟପଦକା ହାସଲ କରିଥିଲେ । ଏଥିରେ ସେ ୧୦୦ମି ଦୌଡ଼ ୧୧.୩୨ ସେକେଣ୍ଡରେ ଶେଷ କରିଥିଲେ ।
୨୦୧୯ରେ ହୋଇଥିବା ଫେଡେରେସନ କପରେ ସେ ୧୧.୪୫ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।
୨୦୧୯ରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମହିଳା ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି କୃତିତ୍ୱଦ୍ୱାରା, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଟ୍ରାକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଥିଲେ ।