ଚଢାଉ ବେଳେ ପ୍ରାଣୀଧନ ନିରୀକ୍ଷକଙ୍କ ୯୦ଟି ପ୍ଲଟ୍ ଠାବ
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ବିପୁଳ ପରିମାଣର ସଂପତି ଠାବ କରାଯାଇଛି । ସମ୍ପତି ମଧ୍ୟରେ କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ୍ ରହିଛି । ୯୦ଟି ପ୍ଲଟ୍ ବ୍ୟତୀତ ତାଙ୍କର ୪ଟି କୋଠା ଓ ୩ଟି ଫ୍ଲାଟ୍ ରହିଛି । ଏଗୁଡ଼ିକ ସବୁ ଭୁବନେଶ୍ୱରରେ ଥିବା ଜଣାପଡିଛି ।
ଭୁବନେଶ୍ୱରର ରଘୁନାଥପୁରରେ ଥିବା ରୋୟାଲ ଲାଗୁନ୍ ଆପାର୍ଟମେଂଟରେ ତାଙ୍କର ଏକ ୩ ବିଏଚ୍କେ ଫ୍ଲାଟ୍ ରହିଛି, ଯାହାର ଦାମ୍ ପ୍ରାୟ ୫୦ ଲକ୍ଷ ଟଙ୍କା । ସେହି ରଘୁନାଥପୁରର ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଂଟରେ ତାଙ୍କର ଏକ ୩ଟି ବେଡ୍ରୁମ୍ ବିଶିଷ୍ଟ ଫ୍ଲାଟ୍ ରହିଛି । ସେହିଭଳି ଭୁବନେଶ୍ୱରର ରୋୟାଲ ଆର୍କେଡ୍ର ଚତୁର୍ଥ ମହଲାରେ ତାଙ୍କର ଆଉ ଏକ ୩ ବେଡ୍ ରୁମ୍ ବିଶିଷ୍ଟ ଫ୍ଲାଟ୍ ରହିଛି । କେବଳ ସେତିକି ନୁହେଁ ରଘୁନାଥପୁର ଗାଁରେ ତାଙ୍କର ୬୦୦୦ ବର୍ଗଫୁଟ୍ ର ଏକ ତିନି ମହଲା କୋଠା ରହିଛି । ଏହି କୋଠା ପଛପଟେ ତାଙ୍କର ୬୦୦୦ ବର୍ଗଫୁଟର ଏକ ତିନି ମହଲା ମାର୍କେଟ କମ୍ପେ୍ଲକ୍ସ ରହିଛି । ରଘୁନାଥପୁରରେ ତାଙ୍କର ୨୦୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ମଧ୍ୟ ରହିଛି । କଟକର ବାଙ୍କୀ ସ୍ଥିତ ଚାରିଘରିଆରେ ଜଗନ୍ନାଥ ରାଉତଙ୍କର ଏକ ଆଉଟ୍ ହାଉସ୍ , ବିଭିନ୍ନ ବ୍ୟାଙ୍କ ଆକାଉଂଟରୁ ୧୭ ଲକ୍ଷ ଟଙ୍କା , ୫୦୦ ଗ୍ରାମ ସୁନା ଜବତ କରାଯାଇଛି । ବୀମା ଓ ନିବେଶ ବାବଦ ଟଙ୍କାର ଗଣତି ଜାରି ରହିଛି । ଏହା ସହିତ ଠାବ ହୋଇଥିବା କୋଠା ଗୁଡ଼ିକର ମାପଚୁପ କରି ଭିଜିଲାନ୍ସ ଅଧିକମାରୀମାନେ ସେଗୁଡ଼ିକର ସଠିକ୍ ମୂଲ୍ୟ ଆକଳନ କରୁଛନ୍ତି । ଚଢାଉ ଜାରି ରହିଥିବାରୁ ସମ୍ପତି ତାଲିକା ଆହୁରି ଲମ୍ବା ହୋଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଂଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ କଳାରାହାଙ୍ଗ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଏହି ଚଢ଼ାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।