ଫିକା ପଡ଼ିବ ଦୁର୍ଗାପୂଜା! ଆଜି ୫ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବର୍ଷା । ଆସନ୍ତା ଦଶହରା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ୨ ବର୍ଷ ପରେ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଜା ଏଥର ଫିକା ପଡ଼ିବ ।
ଆଜି ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଶନିବାର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ପୁରୀ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଷଷ୍ଠୀରୁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ମହାସପ୍ତମୀରେ ସାରା ଉପକୂଳ ବର୍ଷାରେ ଭିଜିବ। ମହାଷ୍ଟମୀରେ ସମ୍ପୂର୍ଣ୍ଣ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମହାନବମୀ ଓ ଦଶମୀ ରାଜ୍ୟରେ ଅଧିକ ବର୍ଷିବ ବୋଲି ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ୨ ତାରିଖ ସପ୍ତମୀ ଅବସରରେ ସାରା ଉପକୂଳ ବର୍ଷାରେ ଭିଜିବ। ରବିବାର ଉପକୂଳ ଓଡ଼ିଶାର ୧୧ ଜିଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସମେତ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଅଷ୍ଟମୀରୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର କହିଛି। ୩ ତାରିଖ ବା ମହାଷ୍ଟମୀ ଅବସରରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଥିସହ ଅବଶିଷ୍ଟ ଓଡ଼ିଶାରେ ପ୍ରବଳ ବର୍ଷିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେହିପରି ସେହିପରି ଅକ୍ଟୋବର ଦ୍ୱତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଅକ୍ଟୋବର ୪ ଏବଂ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପ୍ରାକ୍ ଆକଳନ କରିଛି। ମହାଷ୍ଟମୀ ପର୍ଯ୍ୟନ୍ତ ରାଜ୍ୟସାରା ବର୍ଷା ହେଉଥିବା ବେଳେ ପଶ୍ଚିମ ଓଡିଶାରେ ପାଗ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି।