କରୋନା ଯୋଗୁଁ ମେ’ରେ ବିମାନ ଯାତ୍ରୀ ସଂଖ୍ୟା ହ୍ରାସ
ଝାରସୁଗୁଡ଼ା : ସମଗ୍ର ଦେଶରେ ଏବେ କରୋନାର ଦ୍ୱିତୀୟ ଲହରର ସାଂଘାତିକ ପ୍ରଭାବ ପଡ଼ିବାକୁ ଲାଗିଛି । ଯାହା ଫଳରେ ବିମାନ ଯାତ୍ରା କରିବାକୁ ବି ଲୋକେ ନିରାପଦ ମଣୁ ନାହାଁନ୍ତି । ବିଶେଷ କାମ ନ ଥିଲେ ଲୋକେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ଅମଙ୍ଗ । ଏଭଳି ପରିସ୍ଥିତିରେ ବିମାନସେବା ଉପରେ ଏହାର ଗଭୀର ପ୍ରଭାବ ଅନୁଭୂତ ହେବାରେ ଲାଗିଛି । ଗତ ମାର୍ଚ୍ଚ ମାସରେ ୪୪୦ଟି ବିମାନ ଉଡ଼ାଣ କରିଥିବା ବେଳେ ଏହି ସଂଖ୍ୟା ଅପ୍ରେଲରେ ହ୍ରାସ ପାଇ ୩୪୬ରେ ପହଂଚିଥିଲା । ଆଉ ଚଳିତ ମେ’ ମାସରେ ଯେଭଳି ସ୍ଥିତି ଲାଗି ରହିଛି ଆଗକୁ ମହାମାରୀ କରୋନା କାରଣରୁ ବିମାନ ସେବା ବନ୍ଦ ହେବାର ସମ୍ଭାବନା ଜନ୍ମ ନେଇଛି । ଝାରସୁଗୁଡ଼ା ଯାତାୟାତ କରିଥିବା ବିମାନ ଯାତ୍ରୀ ସଂଖ୍ୟା: ମେ’-୧୦୬୯, ଜୁନ- ୮୫୪୧, ଜୁଲାଇ- ୧୦୯୬୯, ଅଗଷ୍ଟ- ୧୩୫୮୯, ସେପ୍ଟେମ୍ବର- ୧୪୪୦୮, ଅକ୍ଟୋବର- ୧୭୮୯୧, ନଭେମ୍ବର- ୨୦୯୮୨, ଡିସେମ୍ବର- ୨୩୭୭୨, ଜାନୁଆରୀ-୨୮୨୩୯, ଫେବୃଆରୀ- ୩୪୭୩୪, ମାର୍ଚ୍ଚ- ୩୨୯୩୩, ଅପ୍ରେଲ- ୧୯୧୨୮ ଝାରସୁଗୁଡ଼ା ସହ ଦେଶର ପ୍ରମୁଖ ମେଟ୍ରୋ ସିଟି ଏବଂ ସହର ଗୁଡ଼ିକ ଆକାଶମାର୍ଗରେ ଯୋଡ଼ି ହୋଇଥିବା ସହ ନିୟମିତ ବିମାନ ସେବା ଲାଗି ରହିଛି । ହେଲେ କରୋନା କାରଣରୁ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଛି । ଗତ ଗୁରୁବାର କେବଳ ଝାରସୁଗୁଡ଼ା ଏବଂ ଦିଲ୍ଲୀ ମଧ୍ୟରେ ବିମାନସେବାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ବିମାନ ବାତିଲ ହୋଇଥିଲା । ଶୁକ୍ରବାରମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଶୁକ୍ରବାର ମାତ୍ର ଦୁଇଟି ରୁଟ୍ରେ ଦୁଇଟି ବିମାନ ଯାତାୟାତ କରିବା ସହ ୨୫ଜଣ ଯାତ୍ରୀଙ୍କ ଝାରସୁଗୁଡ଼ା ଆଗମନ ହୋଇଥିଲା ଏବଂ ମାତ୍ର ୨୪ ଜଣ ଯାତ୍ରୀ ଝାରସୁଗୁଡ଼ାରୁ ବାହାରକୁ ଯାତ୍ରା କରିଥିଲେ ।
ସୂଚନା ଯେ, ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି କାରଣରୁ ସମଗ୍ର ଦେଶରେ ଲକ୍ଡାଉନ ଏବଂ ସଟ୍ଡାଉନ କାରଣରୁ ବିମାନସେବା ପ୍ରଭାବିତ ହୋଇଥିଲା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦେଇ ମଧ୍ୟ ବିମାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଥିଲା । ଅପ୍ରେଲ ମାସରେ କରୋନା କାରଣରୁ ବିମାନ ଚଳାଚଳକୁ ବନ୍ଦ କରା ଯାଇଥିଲା । ପୁଣି ମେ’ ମାସ ଶେଷ ଭାଗରେ ବିମାନ ଚଳାଚଳକୁ ଅନୁମତି ମିଳିଥିଲା । ଏକଦା ୯ଟି ବିମାନ ଯାତାୟାତ କରୁଥିବା ବେଳେ ଏବେ ଏହି ସଂଖ୍ୟା ୨କୁ ହ୍ରାସ ପାଇଛି । ଦିଲ୍ଲୀ, କୋଲକାତା, ମୁମ୍ବଇ, ବାଙ୍ଗାଲୁରୁ, ଭୁବନେଶ୍ୱର, ହାଇଦ୍ରାବାଦ, ରାୟପୁର ଆଦି ସହରକୁ ଝାରସୁଗୁଡ଼ାରୁ ବିମାନସେବା ବ୍ୟବସ୍ଥା ଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି କାରଣରୁ ଅଧିକାଂଶ ରୁଟ୍ରେ ବିମାନ ଚଳାଚଳ ବନ୍ଦ ହେଲାଣି । ଏହି ଧାରା ଜାରି ରହିଲେ ଆଗକୁ ବିମାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହେବ ଏଥିରେ ସନ୍ଦେହ ନାହିଁ ।