ବିଶ୍ୱର ପ୍ରଥମ ସ୍ଥାନ ଭାବେ ଦୁବାଇ ଏବେ ୧୦୦% ପେପର ଲେସ୍
ଦୁବାଇ : ବିଶ୍ୱର ପ୍ରଥମ ସ୍ଥାନ ଭାବେ ଦୁବାଇ ଏବେ ୧୦୦% ପେପର ଲେସ୍ ହୋଇଛି। ଅର୍ଥାତ ଏଠାରେ ସବୁ ସରକାରୀ କାମ ଡିଜିଟାଲ ମୋଡରେ ଆରମ୍ଭ ହୋଇଛି। କ୍ରାଉନ ପ୍ରିନ୍ସ ଶେଖ ହମଦନ ବିନ ମହମ୍ମଦ ବିନ ରଶିଦ ଅଲ ମାକତୌମ ଏ ବିଷୟରେ ଘୋଷଣା କରିଛନ୍ତି। ୧୦୦% ପେପର ଲେସ୍ ବ୍ୟବସ୍ଥା ଦ୍ୱାରା ୩୫୦ ମିଲିୟନ ଡଲାର ସେଭିଂ ହୋଇପାରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ସମସ୍ତ ପ୍ରକାରର ନେଣଦେଣ ଓ ସରକାରୀ କାମ ୧୦୦% ଡିଜିଟାଲ ମୋଡରେ ହେବ। ଏହାକୁ ଗୋଟିଏ ସରକାରୀ ଡିଜିଟାଲ ଫ୍ଲାଟଫର୍ମ ମାଧ୍ୟମରେ ତଦାରଖ କରାଯିବ। ଦୁବାଇର ନୂଆ ଡିଜିଟାଲ ଯାତ୍ରାକୁ ଏହା ଦର୍ଶାଉଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି। ବିଶ୍ୱର ଡିଜିଟାଲ ରାଜଧାନୀ ଭାବେ ଏବେ ଦୁବାଇ ପରିଗଣିତ ହେବ। ଏଥିସହ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିବ ବୋଲି କ୍ରାଉନ ପ୍ରିନ୍ସ କହିଛନ୍ତି। ବ୍ରିଟେନ, ଆମେରିକା, ୟୁରୋପ ଓ କାନାଡା ଭଳି ଦେଶ ମଧ୍ୟ ଡିଜିଟାଲ ମୋଡରେ ସବୁ କାମ କରିବାକୁ ଯୋଜନା କରିଛନ୍ତି। ହେଲେ ସାଇବର ଆଟାକର ଭୟ ଥିବାରୁ ଡିଜିଟାଲ ପ୍ରକ୍ରିୟାକୁ ଆରମ୍ଭ କରାଯାଇ ପାରୁନି। ହେଲେ ଦୁବାଇରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।
ପାଞ୍ଚଟି ପର୍ଯ୍ୟାୟରେ ଦୁବାଇରେ ପେପରଲେସ ଯୋଜନାକୁ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ପର୍ଯ୍ୟାୟରେ ଦୁବାଇ ସରକାରଙ୍କ ବିଭିନ୍ନ ସଂସ୍ଥାକୁ ପେପରଲେସ ପ୍ରକ୍ରିୟାରେ ଯୋଡ଼ା ଯାଉଥିଲା। ଶେଷ ତଥା ପଞ୍ଚମ ପର୍ଯ୍ୟାୟରେ ଏମିରେଟର ସମସ୍ତ ୪୫ଟି ସରକାରୀ ସଂସ୍ଥାକୁ ପେପରଲେସ୍ କରାଯାଇଥିଲା। ଏହି ସଂସ୍ଥାଗୁଡ଼ିକ ୧୮୦୦ରୁ ଡିଜିଟାଲ୍ ସେବା ଓ ୧୦,୫୦୦ରୁ ଅଧିକ ପ୍ରମୁଖ ନେଣଦେଣ ପ୍ରଦାନ କରନ୍ତି। ଦୁବାଇ ସରକାର ସଂପୂର୍ଣ୍ଣ ଡିଜିଟାଲ ମୋଡ ଆସି ସେଠାରେ ରହୁଥିବା ଲୋକଙ୍କୁ ସ୍ମାର୍ଟ ସିଟି ଅଭିଜ୍ଞତା ପ୍ରଦାନ କରିବେ। ଲୋକମାନେ ଆଉ କାଗଜ ଦ୍ୱାରା କାରବାର କରିବେ ନାହିଁ।