ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହୋଇପାରେ ଡ୍ରୋନ ହମଲା
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହୋଇପାରେ ଡ୍ରୋନ ହମଲା। ଏହାକୁ ଦୃଷ୍ଟିରେ ରଖି ଭାରତର ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସକୁ ଆଲର୍ଟ ଜାରି କରିଛି। ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରଦେଶରେ ଆତଙ୍କୀ ଘଟଣା ଘଟାଇବାରେ ବିଫଳ ଆତଙ୍କବାଦୀ ଏବେ ଦେଶର ରାଜଧାନୀକୁ ଦୋହଲାଇବାକୁ ବଡ ଯୋଜନା କରୁଛନ୍ତି।
ଗୁଇନ୍ଦା ବିଭାଗର ଇନପୁଟ୍ର ଖବର ଅନୁଯାୟୀ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଏସ ଦିଲ୍ଲୀ ସହିତ ଦେଶର ମେଟ୍ରୋ ସହର ସମେତ ଅନେକ ସହରରେ ହମଲା କରି ପାରନ୍ତି। ଆତଙ୍କବାଦୀଙ୍କୁ ମାନବ ବୋମା କରି କିମ୍ବା ଟାର୍ଗେଟ୍ କିଲିଂ ଜରିଆରେ ଆତଙ୍କ ଘଟଣା ଭିଆଇ ପାରନ୍ତି। ଦେଶର ପ୍ରମୁଖ ଗୁଇନ୍ଦା ବିଭାଗ ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍କୁ ଏହି ଧରଣର ତଥ୍ୟ ମିଳିଛି। ସୂଚନା ମିଳିବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି। ଦିଲ୍ଲୀର ଅନେକ ସ୍ଥାନରେ ଅର୍ଦ୍ଧସୈନିକ ଯବାନଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ପୋଲିସର ଆତଙ୍କ ନିରୋଧୀ ସେଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲାହୋରର ଜୌହର ହାଉସରେ ରାଜସ୍ଵ ବୋର୍ଡ ହାଉସିଂ ସୋସାଇଟିରେ ଦେଶର ସବୁଠୁ ବଡ ଶତ୍ରୁ ହାଫିଜ ସଇଦର ବାସଭବନ ବାହାରେ ଜୁନ ୨୩ରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ଭାରତର କିଛି ଯାଏ ଆସେ ନାହିଁ। ମାତ୍ର ଆଇଏସଆଇ ଓ ହାଜିଫ ସଇଦ ଏହି ବିସ୍ଫୋରଣର ବାହାନା କରି ଆତଙ୍କୀ ଆକ୍ରମଣ କରାଇପାରେ। ଗୁଇନ୍ଦା ଇନପୁଟ୍ ମିଳିଛି ଯେ, ଦେଶର ଗୁରୁତ୍ଵପୂର୍ଣ୍ଣ କୋଠା ଓ ଜନଗହଳି ଅଞ୍ଚଳକୁ ଟାର୍ଗେଟ୍ କରାଯାଇପାରେ। ବିଶେଷ କରି ଦେଶର ମେଟ୍ରୋ ସହରକୁ ଆତଙ୍କବାଦୀ ଟାର୍ଗେଟ୍ କରି ପାରନ୍ତି। ଗୁଇନ୍ଦା ତଥ୍ୟ ଅନୁଯାୟୀ, ଆଇଏସଆଇ ଏଥିପାଇଁ ରଣନୀତି ପ୍ରସ୍ତୁତ କରି ସାରିଛି। ଦେଶରେ ସ୍ଲିପର ସେଲ୍ ଓ ଗ୍ୟାଙ୍ଗଷ୍ଟାରର ଆତଙ୍କବାଦୀଙ୍କୁ ଘଟଣାରେ ବ୍ୟବହାର କରାଯାଇପାରେ।