ପାନୀୟ ଜଳ ସମସ୍ୟା : ଗରା ଓ ବାଲ୍ତି ନେଇ ଜିଲାପାଳଙ୍କ ଠାରେ ଫେରାଦ ହେଲେ ଲୁଣାପାହିବାସୀ
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ବ୍ଲକ ପରିଖି ପଞ୍ଚାୟତ ଅନ୍ତର୍ଗତ ଲୁଣାପାହି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ଗରା ଓ ବାଲ୍ତି ଧରି ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଲୁଣାପାହି ଅଞ୍ଚଳରେ ଉପୁଜିଥିବା ପାନୀୟ ଜଳ ସମେତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ।
ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଯୋଜନାରେ ଏହି ଅଞ୍ଚଳରେ ଦୀର୍ଘଦିନ ପୂର୍ବରୁ ସ୍ଥାପନ ହୋଇଥିବା ନଳକୂଳ ୬ ମାସ ଧରି ଅଚଳ ହୋଇ ପଡିଥିବା ବେଳେ ପିଇବା ପାଣି ସଂଗ୍ରହ ପାଇଁ ୨ କିଲୋମିଟରୁ ଅଧିକ ବାଟ ଯିବାକୁ ପଡୁଛି ବୋଲି ମହିଳାମାନେ କହିଛନ୍ତି । ବର୍ଷା ଦିନରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇ ପଡିଥିବା ସେମାନେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ସଦର ବିଧାୟକଙ୍କ ସମେତ ସରକାରୀ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ଏ ଯାବତ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନଥିବା ମହିଳାମାନେ ଆରୋପ ଉଠାଇଛନ୍ତି । ସ୍ୱାଧୀନତାର ୭୫ବର୍ଷ ପରେ ବି ଗ୍ରାମାଞ୍ଚଳ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବନେତା ଶ୍ରୀ ପଣ୍ଡା କହଛନ୍ତି । ନିର୍ବାଚନ ସମୟରେ ନାନାଦି ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ କ୍ଷମତାକୁ ଆସିଥିବା ଲୋକ ପ୍ରତିନିଧିମାନେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି । ମୌଳିକ ସେବାରୁ ବଞ୍ଚିତ ସାଧାରଣ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଥିଲେ । ଲୁଣାପାହି ଗ୍ରାମର ମଧ୍ୟସ୍ଥଳରେ ଏକ ଗଭୀର ନଳକୂପ ସ୍ଥାପନ ପାଇଁ ଶ୍ରୀ ପଣ୍ଡା ଜିଲାପାଳଙ୍କୁ ନିଦେବନ କରିଥିଲେ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।