ଜାତୀୟସ୍ତରରେ ପାଳନ ହେବ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ
ଭୁବନେଶ୍ବର: ଜାତୀୟ ସ୍ତରରେ ପାଳନ ହେବ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ। ଏନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ହ୍ୟଣ୍ଡେଲ୍ରେ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସ୍ତରରେ ପାଳନ କରାଯିବା ନେଇ ନିଷ୍କତ୍ତି ନିଆଯାଇଛି। ଓଡ଼ିଆ ଅସ୍ମିତା ପାଇଁ ଏହି ମହାନ ଜାତୀୟ ଜନନାୟକଙ୍କ ନିମନ୍ତେ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ଜୟନ୍ତୀ ଉତ୍ସବକୁ ଓଡ଼ିଆ ଜାତୀୟତାବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ପ୍ରଦର୍ଶିତ ହେବ । ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ସମାରୋହ ଏବଂ ୨୩, ୨୪ ଓ ୨୫ ତାରିଖରେ ଡ. ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି ।
୨୧ ନଭେମ୍ବର ୧୮୯୯ ମସିହାରେ ମହାନ ଜନ ନାୟକ ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବ ଭଦ୍ରକ ଜିଲ୍ଲାର ଅଗରପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୁନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ । ୨ ଜାନୁଆରୀ ୧୯୮୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।