ଲକ୍ଷଣ ନ ଥିଲେ କରାନ୍ତୁ ନାହିଁ ଟେଷ୍ଟ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଲକ୍ଷଣ ନ ଥିଲେ କୋଭିଡ଼୍ ଟେଷ୍ଟିଂ କରାନ୍ତୁ ନାହିଁ । ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂପ ଆବଶ୍ୟକତା କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏନେଇ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାଗୁଡ଼ିକୁ ଜଣାଇଛି । ବର୍ତମାନ ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି । ୨ ପ୍ରତିଶତରୁ କମ୍ ସଂକ୍ରମିତ ହସପିଟାଲରେ ଅଛନ୍ତି । ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି । ଗାଇଡଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ ବୋଲି ସେ କହିଛନ୍ତି । ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର । ଭାଇରାଲ ଫ୍ଳୁ ପାଇଁ ଆଂଟିିବାଓଟିକ୍ ଆବଶ୍ୟକ ନାହିଁ । ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ସେମାନେ କହିଛନ୍ତି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ରହିଥିଲେ ମଧ୍ୟ ରୋଗୀ ଗୁରୁତର ହେଉନାହାନ୍ତି । ଭୂତାଣୁ ଗଳାରେ ରହୁଛି । ଛାତି ମଧ୍ୟକୁ ପ୍ରବେଶ କରି ଶରୀରର କ୍ଷତି କରିପାରୁନି । ବିଶେଷ କରି ଗଳାରେ କଷ୍ଟ ହେବା, ନାକ ବନ୍ଦ, ଦେହ ବିନ୍ଧା ହେବା ସହିତ ମୁଣ୍ଡ ବିନ୍ଧିବା ପତଳା ଝାଡା ହେବା ତୃତୀୟ ପ୍ରବାହ ଲକ୍ଷଣ । ତୃତୀୟ ଲହରରେ ଆକ୍ରାନ୍ତ ମାନଙ୍କର ବିଶେଷ ଲକ୍ଷଣ ଦେଖାଯାଉନି । ତେଣୁ ଅଧିକାଂଶ ସଂକ୍ରମିତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ବିନା ପରାମର୍ଶରେ ଔଷଧ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏବେ କରୋନା ଚିକିତ୍ସା ପାଇଁ ବିଶେଷ କିଛି ଔଷଧର ଆବଶ୍ୟକତା ପଡ଼ୁନି । କିନ୍ତୁ ମନଇଛା ଔଷଧ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଟିକା ନେଇଥିଲେ ମଧ୍ୟ ନିୟମ ମାନିବାକୁ ପଡିବ । ସେହିପରି ଡାକ୍ତର କହିଛନ୍ତି ସତର୍କ ନରହିଲେ ଟିକା ନେଇଥିଲେ ମଧ୍ୟ କରୋନା ହେବ । ଏଥିପାଇଁ ମାସ୍କ, ସାମାଜିକ ଦୂରତାକୁ ସବୁବେଳେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ବର୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ ଅଛି । ଆକ୍ରାନ୍ତ ଗୁରୁତର ହେଉନଥିବାରୁ ଅକ୍ସିଜେନ୍ ଓ ଭେଂଟିଲେଟରର ଆବଶ୍ୟକତା ପଡ଼ୁନାହିଁ । ତଥାପି ସ୍ୱାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ।