ଫେସ୍ବୁକ୍ରେ ଡୋନାଲ୍ଡ ଟ୍ରମ୍ପଙ୍କ ଅନୁପ୍ରବେଶ ଉଦ୍ୟମ ବ୍ୟଥା
ଆଗକୁ ଏଭଳି ଉଦ୍ୟମ କଲେ ଲାଗିବ ଅଧିକ କଟକଣା : ଫେସ୍ବୁକ୍
ମେନେଲୋ ପାର୍କ : ଆମେରିକାର ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ପୁଣି ଥରେ ନିଜ ପ୍ଲାଟଫର୍ମରୁ ବିଦା କରିଦେଇ ଥିବାର ଫେସବୁକ୍ ଏହି ସୂଚନା ଦେଇଛି । ଟ୍ରମ୍ପ ତାଙ୍କ ବୋହୂ ଲାରା ଟ୍ରମ୍ପଙ୍କ ଫେସବୁକ୍ ଆକାଉଂଟ ମାଧ୍ୟମରେ ତାଙ୍କର ଏକ ସାକ୍ଷାତକାର ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ବିରୋଧରେ ଲାଗିଥିବା କଟକଣାରୁ ବର୍ତିବା ଲାଗି ଉଦ୍ୟମ କରିଥିଲେ । ତେବେ ପେଜରେ ଟ୍ରମ୍ପଙ୍କ ତାଜା ବୟାନ ଦେଖିବାମାତ୍ରେ କର୍ତୃପକ୍ଷ କେଂଟଂଟକୁ ହଟାଇ ଦେଇଛନ୍ତି । ଏ ନେଇ କର୍ତୃପକ୍ଷ ଏକ ବୟାନରେ ଟ୍ରମ୍ପଙ୍କୁ ତାଙ୍କ ଉପରେ ଲାଗୁ କଟକଣା କଥା ମନେ ପକାଇ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଂଟ ଉପରେ ଜାରି ପ୍ରତିବନ୍ଧ ଯୋଗୁ ତାଙ୍କ ଦ୍ୱାରା ଉପସ୍ଥାପିତ କୌଣସି ସାମଗ୍ରୀ ସୋସିଆଲ ମିଡିଆରେ ସ୍ଥାନିତ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଯଦି ସେ ଏପରି ଉଦ୍ୟମ ବାରମ୍ବାର କରନ୍ତି ତେବେ ତାଙ୍କ ବିରୋଧରେ ଜାରି କଟକଣା ଉପରେ ଅତିରକ୍ତ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ ବୋଲି ମଧ୍ୟ ଜଣାଇଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପୁତ୍ର ଏରିକ୍ ଫ୍ରେଡରିକ୍ ଟ୍ରମ୍ପଙ୍କ ପତ୍ନୀହେଉଛନ୍ତି ଲାରା ଟ୍ରମ୍ପ । ଫେସବୁକଙ୍କ ବୟାନ ପରେ ଲାରା ତାଙ୍କୁ ମିଳିଥିବା ଏକ ଇ-ମେଲର ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି । ଯେଉଁଥିରେ ଫେସବୁକ୍ କମ୍ପାନୀ ଏକ ସାକ୍ଷାତକାରକୁ ହଟାଇ ଦେଇଥିବାର ସୂଚିତ କରିଛନ୍ତି । ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ସହ ଫେସବୁକ୍ କମ୍ପାନୀର ଚେତାବନୀ ମଧ୍ୟ ରହିଛି । ଏପରି ବିଷୟବସ୍ତୁର କେଂଟଂଟ ଅପଲୋଡ କଲେ କଟକଣା ଆହୁରି କଡ଼ାକଡ଼ି ହୋଇପାରେ ବୋଲି ସତର୍କ ମଧ୍ୟ କରାଯାଇଛି ।
ସୂଚନା ଯେ, ଆମେରିକା କ୍ୟାପିଟଲ ହିଲରେ ୬ ଜାନୁୟାରୀ ହିଂସାକାଣ୍ଡକୁ ନେଇ ଫେସବୁକ୍ ସମେତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରଙ୍କ ଆକାଉଂଟ ସସପେଣ୍ଡ କରିଛନ୍ତି । ଉତେଜକ ଭାଷଣକୁ ସୋସିଆଲ ମିଡିଆରେ ଅପଲୋଡ କରି ତାଙ୍କ ସମର୍ଥକଙ୍କୁ ଉସକାଇବା ନେଇ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରହିଛି । ଏଣୁ ଟ୍ରମ୍ପ ଫେସବୁକ୍ ସମେତ ଟ୍ୱିଟର ଓ ୟୁଟ୍ୟୁବରେ ମଧ୍ୟ ପ୍ରତିବନ୍ଧିତ ହୋଇଛନ୍ତି ।