ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ଏତିକି ତାଙ୍କ ଲେଖାଏଁ ବଢ଼ିଲା ଘରୋଇ ଏବଂ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ମୂଲ୍ୟ
ନୂଆଦିଲ୍ଲୀ : ହୋଲି ପୂର୍ବରୁ ସାଧାରଣ ଜନତାଙ୍କୁ ଦରଦାମ ବୃଦ୍ଧିର ଆଉ ଏକ ଝଟକା । ତୈଳ କମ୍ପାନୀଗୁଡିକ ଦୀର୍ଘ ଦିନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଆଜି (ବୁଧବାର) ଅର୍ଥାତ ମାର୍ଚ୍ଚ ୧, ୨୦୨୩ ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରିଦେଇଛନ୍ତି । ଆଜି ଘରୋଇ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ସ୍ଥିର ରହିଛି । ଅନ୍ୟପଟେ ଘରୋଇ ଏଲପିଜି ସିରିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଛି ।
ଏହା ସହ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ହୋଇଯାଇଛି । ଏହି ପୂର୍ବରୁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କାରେ ମିଳୁଥିଲା । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ ୧,୧୨୯ ଟଙ୍କାରେ ମିଳିବ । ଏହା ପୂର୍ବରୁ ଏହାର ଦାମ୍ ୧,୦୭୯ ଟଙ୍କା ଥିଲା । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୨୯ ଟଙ୍କା ହୋଇଯାଇଛି । ଯାହା ପୂର୍ବରୁ ୧,୦୭୯ ଟଙ୍କା ଥିଲା । ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ହୋଇଯାଇଛି । ଯାହା ପୂର୍ବେ ୧,୦୫୨.୫୦ ଟଙ୍କା ଥିଲା । ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୧୧.୫୦ ଟଙ୍କାରେ ମିଳିବ । ଯାହା ପୂର୍ବେ ୧,୦୬୮.୫୦ ଟଙ୍କା ଥିଲା ।
ସେପଟେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ଜାନୁଆରୀ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଏଲପିଜିର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ପୁରୁଣା ଦର ୧୭୬୯ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୧୮୭୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୭୨୧ ଟଙ୍କା ଓ ଚେନ୍ନାଇରେ ୧୯୭୧ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୭୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ସେହି ସମାନ ଦରରେ ମିଳିବ । ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା ।
ସୂଚନା ଯେ, ଏହା ପୂର୍ବେ ଗତବର୍ଷ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା ହୋଇଛି ।