ବାଲେଶ୍ୱର : ସମୁଦ୍ର କୂଳରେ ଡଲଫିନ୍, ଖେଳିବା ସହ ସେଲ୍ଫି ନେଇ ଛାଡ଼ିଲେ ପିଲା
ବାଲେଶ୍ୱର : ବାଲେଶ୍ୱର ସମୁଦ୍ର କୂଳରେ ଦେଖାଦେଲା ଡଲଫିନ୍ । ଚାନ୍ଦିପୁର ଅନ୍ତର୍ଗତ ୯-ମାଇଲ୍ ସମୁଦ୍ର କୂଳରେ ମଙ୍ଗଳବାର ଏହି ଡଲଫିନ୍ଟି ଦେଖିବାକୁ ମିଳିଥିଲା । ପରେ ସମୁଦ୍ରକୂଳରେ ଖେଳୁଥିବା କିଛି ପିଲା ଡଲଫିନ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ କିଛି ପିଲା ସାଙ୍ଗସାଥି ହୋଇ ଉକ୍ତ ଡଲଫିନ୍ ସହ ମନୋଭରି ଖେଳିଥିଲେ । ପରେ ଡଲଫିନ୍ ସହିତ ସେଲ୍ଫି ମଧ୍ୟ ଉଠାଇଥିଲେ । ମନ ଭରିଯିବା ପରେ ଡଲଫିନ୍ଟିକୁ କୌଣସି ଆଘାତ ନଦେଇ ସମୁଦ୍ର ପାଣିରେ ଟାଣି ଟାଣି ନେଇ କିଛି ପିଲା ତାକୁ ସମୁଦ୍ର ଭିତରେ ନେଇ ଛାଡ଼ି ଦେଇଥିବାର ଦେଖିବାକୁ ମିଳିଛି । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । କିଛି ଗ୍ରାମବାସୀ ମଧ୍ୟ ସେଠାରେ ପହଞ୍ଚି ଡଲଫିନ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଏ ସମ୍ପର୍କରେ ଚାନ୍ଦିପୁର ସାମୁଦ୍ରିକ ଥାନା ଖବରପାଇ ପହଞ୍ଚିବା ପୂର୍ବରୁ ପିଲାମାନେ ଡଲଫିନ୍ଟିକୁ ସମୁଦ୍ର ଭିତରେ ଛାଡ଼ି ଦେଇଥିବାର ପ୍ରକାଶ କରିଥିଲେ ।