ଡିଜିଟାଲ ଟ୍ରାଞ୍ଜାକ୍ସନ କରୁଛନ୍ତି କି? ତେବେ ସାବଧାନ, କ୍ୟୁଆର କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ ସତର୍କ କରାଇଲା ଏସବିଆଇ
ନୂଆଦିଲ୍ଲୀ : ଆପଣ ବି ଡିଜିଟାଲ ଟ୍ରାଞ୍ଜାକ୍ସନ କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ କାରଣ ଏବଂ କ୍ୟୁଆର କୋଡ ଠକଙ୍କ ପାଇଁ ଠକେଇ ନୂଆ ପନ୍ଥା ସାଜିଛି । ଫୋନ କଲ୍, ମେସେଜ୍, ଫ୍ରଡ ଲିଙ୍କ ଦ୍ୱାରା ଲୋକଙ୍କ ଆକାଉଣ୍ଟ ଖାଲି ହୋଇଯିବା ଭଳି ଅଭିଯୋଗ ଆଜିକାଲି ଖବର କାଗଜରେ ନିତିଦିନିଆ ଖବର ପାଲଟିଲାଣି । ସେହିପରି ଏବେ ଠକମାନେ ଠକେଇର ଆଉ ଏକ ନୂଆ ମାଧ୍ୟମ ଆପଣେଇଛନ୍ତି । ତାହା ହେଲା କ୍ୟୁଆର କୋଡ । କ୍ୟୁଆର କୋଡ ସ୍କାନ କରି ଦେଣନେଣ ଅଧିକ ସୁବିଧାଜନକ ହେଉଥିବାରୁ ଆଜିକାଲି ଲୋକେ କ୍ୟାସ ଟ୍ରାଞ୍ଜାକ୍ସନ ଅପେକ୍ଷା ଡିଜିଟାଲ ଟ୍ରାଞ୍ଜାକ୍ସନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ଅନଲାଇନ ଫ୍ରଡଷ୍ଟର ବା ସାଇବର ଠକ ।
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଲଞ୍ଚ ହେବା ପରେ ଭାରତରେ ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବହୁ ପରିମାଣରେ ବଢିଛି । ଯେଉଁମାନେ ବ୍ୟାଙ୍କଠାରୁ ଦୂରେଇ ଯାଇଥିଲେ ସେମାନେ ବି ବ୍ୟାଙ୍କରେ ଖାତା ଖୋଲି ଦେଣନେଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏହି ଯୋଜନା ଲଞ୍ଚ ହେବାର ୪ ବର୍ଷ ମଧ୍ୟରେ ଦେଶର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ ଏହା ଜରିଆରେ ବ୍ୟାଙ୍କ ସହ ଯୋଡି ହୋଇଛନ୍ତି । ପରେ ପରେ ବିମୁଦ୍ରୀକରଣ ଏବଂ କୋରୋନା ମହାମାରୀ ଯୋଗୁଁ ଲୋକେ କ୍ୟାସ ଟ୍ରାଞ୍ଜାକ୍ସନ ବଦଳରେ ଡିଜିଟାଲ ଆଡକୁ ମୁହାଁଇଥିଲେ । ଯାହା ଲୋକଙ୍କ ବ୍ୟାଙ୍କ ସହ ଯୋଡି ହେବା ପ୍ରକ୍ରିୟାକୁ ଏକପ୍ରକାର ଇନ୍ଧନ ଯୋଗାଇଥିଲା ।
ଏହା ସୁବିଧାଜନକ ହୋଇଥିବାରୁ ଖୁବ କମ ସମୟ ଭିତରେ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଥିଲା । ତେବେ ଏହାର ସାଇବର ଠକ ବି ଏହାର ଜୋରଦାର ଫାଇଦା ଉଠାଇଥିଲେ । ଦେଶରେ ସାଇବର ଠକ ବଢିବା ସହ ବ୍ୟାଙ୍କିଂ ସମ୍ବନ୍ଧୀୟ ଠକେଇ ବି ବହୁ ପରିମାଣରେ ବୃଦ୍ଧି ପାଇଥିଲା । ଏନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ।
ଏସବିଆଇ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଲୋକଙ୍କ ଭିତରେ ଆର୍ଥିକ ସଚେତନତା ବୃଦ୍ଧି ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି । ଠକେଇ ଉପରେ ଅଧିକ ସଚେତନତା ସୃଷ୍ଟି ପାଇଁ ବ୍ୟାଙ୍କ ପକ୍ଷରୁ ଟ୍ୱିଟ କରି ଲେଖାଯାଇଛି ଯେ, କ୍ୟୁଆର କୋଡ ସ୍କାନ କର ଏବଂ ଟଙ୍କା ପାଅ, ଏହା ରଙ୍ଗ ନମ୍ବର ( #YehWrongNumberHai ) କ୍ୟୁଆର କୋଡ ଠକେଇ ପ୍ରତି ସାବଧାନ ରୁହନ୍ତୁ । ସ୍କାନ କରିବା ପୂର୍ବରୁ ଯାଞ୍ଚ ନିଶ୍ଚୟ କରନ୍ତୁ, ଅଜଣା ଏବଂ ଯାଞ୍ଚ ହୋଇନଥିବା କୋଡକୁ ସ୍କାନ କରନ୍ତୁ ନାହିଁ ।
ଏହି ଟ୍ୱିଟ୍ ସହ ଏକ ଜନ ସଚେତନମୂଳକ ଭିଡିଓ ବି ବ୍ୟାଙ୍କ ପକ୍ଷରୁ ସେୟାର କରାଯାଇଛି । କ୍ୟୁଆର କୋଡକୁ ସ୍କାନ କରିବା ପରେ କିପରି ପେମେଣ୍ଟ ପ୍ରୋସେସ୍ ହୋଇଥାଏ, ସେନେଇ ତଥ୍ୟ ଭିଡିଓରେ ଦର୍ଶଯାଇଛି । ‘ସ୍କାନ ଏବଂ ସ୍କାମ ? କଦାପି ଅଜଣା କ୍ୟୁଆର କୋଡ ସ୍କାନ କରନ୍ତୁ ନାହିଁ, କିମ୍ବା ୟୁପିଆଇ ପିନ୍ ଦିଅନ୍ତୁ ନାହିଁ ।’
କିଛି ଦିନ ତଳେ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଥିଲା । ଏଥିରେ ସାଧାରଣ ବ୍ୟାଙ୍କ ଠକେଇ ଏବଂ ଏସବୁରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ବିଷୟରେ ସବିଶେଷ ତଥ୍ୟ ଦେଇଥିଲା । ଟ୍ୱିଟ୍ କରି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ‘ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା’ । ସାଇବର କ୍ରାଇମର ଶିକାର ହେଲେ ଅବିଳମ୍ବେ cybercrime.gov.inରେ ସୂଚନା ଦିଅନ୍ତୁ । ମନଲୋଭା ଅଫର, KYC ଅପଡେଟ୍, ମେସେଜ୍ ଏବଂ ଫ୍ରଡ ଫୋନ୍ କଲ ଠାରୁ ଦୂରେଇ ରୁହନ୍ତୁ । ପାସୱାର୍ଡ ସବୁବେଳେ ଗୁପ୍ତ ରଖିବା ସହ ନିୟମିତ ବ୍ୟବଧାନରେ ଏହାକୁ ପରିବର୍ତ୍ତନ କରନ୍ତୁ । ଏହା ସହ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ,-
1- କଦାପି ନିଜର ବ୍ୟକ୍ତିଗତ ଏବଂ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା କାହା ସହ ସେୟାର କରନ୍ତୁ ନାହିଁ ।
2- ଏପରି ଏକ ପାସୱାର୍ଡ ରଖନ୍ତୁ ଯାହା ସହଜରେ ଅନୁମାନ କରିହେବ ନାହିଁ ।
3- ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ଯେପରି ଏଟିଏମ ପିନ୍, କାର୍ଡ ନମ୍ବର, ୟୁପିଆଇ ପିନ୍, ଇଣ୍ଟରନେଟ ବ୍ୟାଙ୍କିଂ ପାସୱାର୍ଡ ଏପରି କୌଣସି ଜାଗାରେ ଲେଖନ୍ତୁ ନାହିଁ, ଯାହା ଠକମାନେ ସହଜରେ ଜାଣିପାରିବେ ।
4- ନିଜର ବ୍ୟକ୍ତିଗତ ସୂଚନା ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ ।
5- କୌଣସି ସନ୍ଦେହଜନକ ଲିଙ୍କ କୁ କ୍ଲିକ କରନ୍ତୁ ନାହିଁ କିମ୍ବା ସେହିପରି କୌଣସି ଆପ୍ ଡାଉନଲୋଡ କରନ୍ତୁ ନାହିଁ ।