ଦୀପାବଳିରେ ଅଘଟଣ : ୨ ମୃତ, ୫ ଗୁରୁତର
ଭୁବନେଶ୍ୱର : ଦୀପାବଳିରେ ଦୁଃଖଦ ଘଟଣା। ଦୀପାବଳି ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୨ ମୃତ ଓ ୫ ଗୁରୁତର ଥିବା ଜଣାପଡ଼ିଛି। ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ରାଜ୍ୟର ତିନୋଟି ପୃଥକ ପୃଥକ ସ୍ଥାନରେ ଘଟିଛି ଏହି ଅଘଟଣ।
ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବରଦା ଗାଁରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ମହେଶ୍ଵର ମହାରଣା (୨୫)। ଦୁଇ ଗୁରୁତର ହେଲେ ବୀରେନ ନାୟକ ଓ ପ୍ରସନ୍ନ ବ୍ରହ୍ମ। ଏହି ୩ ଜଣ ଯୁବକ ବାଇକ ଯୋଗ ବାଣ ନେଇ ଘରକୁ ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସେମାନେ ବ୍ୟାଗ୍ରେ ବାଣ ନେଇ ଯାଉଥିଲେ ବୋଲି ଜଣାପଡ଼ିଛି। ବିସ୍ଫୋରଣ ପରେ ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଚାଲିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଯୁଇଦାସପୁରରେ ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ। ସେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବାଣ କିଣିବାକୁ ଆସିଥିବା ଜଣେ ଗ୍ରାହକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ କୃଷ୍ଣଚନ୍ଦ୍ରଙ୍କ ଚାଳଛପର ଘର ମଧ୍ୟ ପୂରା ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିଅଣ୍ଟ ଗାଁରେ ବାଣ ଫୁଟାଇବା ବେଳେ ଦୁଇ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ଗାଁର ଭାସୁ ପଲାଇଙ୍କ ଦୁଇ ପୁଅ ପୁନିଆ ପଲାଇ ଓ ଅମର ପଲାଇ। ସେମାନଙ୍କ ହାତରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁନିଆ ଓ ଅମର ଯଥାକ୍ରମେ ଚତୁର୍ଥ ଓ ତୃତୀୟ ଶ୍ରେଣୀର ଛାତ୍ର।