ଜିଲାସ୍ତରୀୟ ଏକ ଦିବସୀୟ ପରିବେଶ ପ୍ରଦର୍ଶନୀ
ଯାଜପୁର : ଜିଲ୍ଲା ସ୍କୁଲରେ ଜାତୀୟ ସବୁଜ ବାହିନୀର ଜିଲ୍ଲା କାର୍ୟ୍ୟ କାରିଣୀ ମୂଲ୍ୟାନ କମିଟି ଆନୁକୂଲ୍ୟରେ ଓ ଭାରତ ସରକାରଙ୍କର ଜଙ୍ଗଲ ପରିବେଶ ବିଭାଗ ସହାୟତାରେ ଏକ ଦିବସିୟ ପରିବେଶ ମଡେଲ ପଦର୍ଶନୀ ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଡେପୁଟି କଲେକ୍ଟର କୁଳମଣି ନାୟକ ଉଦଘାଟନ କରି ସାତ୍ଵିକ ମନୋଭାବ ଓ ସାତ୍ଵିକ ଭୋଜନ ଦ୍ୱାରା ନିଜେ ଶାନ୍ତି ଅନୁଭବ କରିବା ସହିତ, ସମାଜରେ ଓ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ ଓ ପରିବେଶ ସୁରକ୍ଷା ହୋଇ ପାରିବ । ତାହା କେବଳ ବୃକ୍ଷ ରୋପଣ ଦ୍ୱାରା ସମ୍ଭବ । ତେଣୁ ସେହିଭଳି ମାନସିକତା ସୃଷ୍ଟି କରିବା ଉଚିତ । ଶିକ୍ଷକ ମାନେ ସେହିଭଳି ଜ୍ଞାନର ଅଧିକାରୀ ହୋଇ ଉତ୍ତମ ପରିବେଶ ପାଇଁ ଛାତ୍ର ଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟିକଲେ ପରିବେଶ ସୁରକ୍ଷା ହୋଇପାରିବ । ରାଜ୍ୟ ପ୍ରଦୂର୍ଷଣ ନିୟନ୍ତ୍ରଣ ପରିସଦର ଆଞ୍ଚଳିକ ଶାଖାର ଉପ ପରିବେଶ ଯନ୍ତ୍ରୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପରିବେଶ ପ୍ରତି ସୃଷ୍ଟି ହେଉଥିବା ବିଭିନ୍ନ ଆବର୍ଜନାର ପ୍ରଭାବ ଓ ତାର ପରିଚାଳନା ଓ ଉତ୍ତମ ପରିବେଶ ପାଇଁ ଆମର କର୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସହକାରୀ ଉଦ୍ୟାନବିତ ହରମୋହନ ମହାପାତ୍ର ସମ୍ମାନିତ ବକ୍ତା ରୂପେ ଯୋଗଦେଇ ପରିବେଶରେ ଶକ୍ତି ଅପଚୟ ଦ୍ୱାରା ଓ କଠିନ ଆବର୍ଜନା ଦ୍ୱାରା କିପରି ପରିବେଶ ପ୍ରଦୂଷିତ ହେଉଛି ଓ ଉତ୍ତମ ପରିବେଶ ପାଇଁ ଆମର କିପରି ଜୀବନ ଶୈଳୀ ହେବା ଉଚିତ ତାହା ବର୍ଣ୍ଣନା କରିଥିଲେ । ମୃତିକା ଓ ଜଳ ଛାୟା ବିଭାଗର ସହକାରୀ ପ୍ରକଳ୍ପ ଅଧିକାରୀ ସନ୍ମାନିତ ଅତିଥି ରୂପେ ଯୋଗଦେଇ ଜ଼ୀବ ଜଗତ ତିଷ୍ଠି ରହିବା ପାଇଁ ଜଳପ୍ରଦୂଷଣ ନିୟନ୍ତ୍ରଣ ଓ ସଂରକ୍ଷଣ କେତେ ଦରକାରୀ ତାହା ବର୍ଣନା କରିଥିଲେ । ଏଥିପାଇଁ ଆମର କର୍ତ୍ତବ୍ୟ କଣ ତାହା ବର୍ଣ୍ଣନା କରିଥିଲେ । ସହଆବାହକ ମଳୟ କୁମାର ମିତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆବାହକ ଶରତ କୁମାର ସାହୁ ସଭା ପରିଚାଳନା କରିବା ସହିତ ପରିବେଶ ମଡେଲ ପ୍ରଦର୍ଶନୀର ମୂଳ ଉଦେଶ୍ୟ ଓ ଆବଶ୍ୟକତା ବର୍ଣ୍ଣନା କରିଥିଲେ । ଯାଜପୁର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପରିବେଶ କାର୍ୟ୍ୟ କରି ଅନ୍ୟପାଇଁ ଉଦାହରଣ ହେବା ପାଇଁ କହିଥିଲେ । ମୁଖ୍ୟ ପ୍ରଶିକ୍ଷକ ମହେଶ୍ୱର ଜେନା ସାମନ୍ତ ଧନ୍ୟବାଦ ଦେଇଥିଲେ । ସମସ୍ତ ଅଥିତି ମାନେ ପ୍ରଦର୍ଶନୀ ବୁଲି ବିଭିନ୍ନ ପରିବେଶ ମଡେଲ ଦେଖିଥିଲେ ଓ ତାହା ବିଷୟରେ ସମ୍ପୃକ୍ତ ଛାତ୍ର ଛାତ୍ରୀଙ୍କୁ ପଚାରି ବୁଝିଥିଲେ । ଅପରାହ୍ନରେ ବିଚାରକ ମଣ୍ଡଳୀର ତିନି ସଦସ୍ୟ ବିଭିନ୍ନ ମଡେଲ ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ । ଉଦଯାପନୀ ସଭାରେ ସମସ୍ତ ମଡେଲ ଆଣିଥିବା ଛାତ୍ର ଛାତ୍ରୀ ମାନେ ପ୍ରମାଣ ପତ୍ର ଅତିଥି ମାନଙ୍କଠାରୁ ଗ୍ରହଣ କରିଥିଲେ । ବାଲିଚନ୍ଦ୍ରପୁର ଶିଶୁ ମନ୍ଦିରର ନବମ ଶ୍ରେଣୀ ଛାତ୍ର ଶୁଭମ ସେନାପତି ପ୍ରଥମ, ଅହିୟାସ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଦେବସ୍ମିତା ପଣ୍ଡା ଦ୍ଵିତୀୟ ଓ ଶଶୀଭୁଷଣ ସରକାରୀ ଉଚ ବିଦ୍ୟାଳୟର ଛାତ୍ରୀ ଆକସରା ସାମଲ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣ ପତ୍ର ସହିତ ଯଥାକ୍ରମେ ୫ ହଜାର, ୩ହଜାର ଓ ୨ହଜାର ଟଙ୍କା ପୁରସ୍କାର ରାଶି ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ । ଜିଲ୍ଲା ସ୍କୁଲର ଛାତ୍ରୀମାନେ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ବିଦ୍ୟାଳୟର ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ପ୍ରଦର୍ଶନୀ ପରିଚାଳନାରେ ସହାୟକ ହୋଇଥିଲେ । ବିଶେଷତଃ ଖାଁ ସାର ଓ କ୍ଷୀରୋଦମୟି ପତି ପ୍ରଦର୍ଶନୀ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।