କେନ୍ଦ୍ରାପଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
କେନ୍ଦ୍ରାପଡ଼ା : ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୨ବୁଧବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାରେ ଘଟୁଥିବା ଘଟଣାବଳିକୁ ଲୋକଲୋଚନକୁ ଆଣିବା ସହ ସ୍ୱଛ ଓ ନିର୍ମଳ ଶାସନ ନିମନ୍ତେ ଗଣମାଧ୍ୟମ ଜିଲା ପ୍ରଶାସନ ପାଇଁ ଦର୍ପଣ ରୂପେ କାର୍ଯ୍ୟ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ସମ୍ବିଧାନର ତିନିସ୍ତମ୍ବର ଆଖ୍ୟା ଦିଆଯାଉଥିବା ବେଳେ ପ୍ରଥମ ଦୁଇଟି ପରସ୍ପର ନିର୍ଭରଶୀଳ ଏବଂ ତୃତୀୟଟି ସ୍ୱାଧୀନ ଏବଂ ନିରପେକ୍ଷ । ଏମାନଙ୍କୁ ସୁନିୟନ୍ତ୍ରିତ କରିବା ପାଇଁ ଗଣମାଧ୍ୟମ ଚତୁର୍ଥ ସ୍ତମ୍ବ ଭାବେ କାର୍ଯ୍ୟ କରେ । ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଓ ପ୍ରସାରିତ ସମ୍ବାଦ ଶାସନ ବ୍ୟବସ୍ଥାର ନୀତି, କାର୍ଯ୍ୟଶୈଳୀ, ପରିକଳ୍ପନା ଓ ସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥାଏ । ଫଳରେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ରର ଚରିତ୍ର ଗଠନ ଏବଂ ସଂଶୋଧନ ନିମନ୍ତେ ଗଣମାଧ୍ୟମର ଭୂମିକା ଅନସ୍ୱୀକାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।
ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ଦେବା ସହ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲା ଓ ବ୍ଲକ ସ୍ତରର ବିଭିନ୍ନ ଛାପା ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ଜଗନ୍ନାଥ ଧଳ, ରବିନାରାୟଣ ପତି, ଚିତ୍ତରଞ୍ଜନ ଦାସ, ପ୍ରଭାତ ଲେଙ୍କା, ଅସିତ ପଣ୍ଡା, ଶିବାଶିଷ ମହାନ୍ତି, ମହେଶ ପାଢୀ ପ୍ରମୁଖ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କ ସମ୍ବାଦ ସଂଗ୍ରହ ସମ୍ପର୍କିତ ଅଭିଜ୍ଞତା ଓ ଦିବସ ପାଳନ ଉପଲକ୍ଷେ ଆଲୋଚ୍ୟ ବିଷୟ “ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା” ସମ୍ପର୍କରେ ନିଜସ୍ୱ ସୁଚିନ୍ତିତ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।