ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ -୨୦୨୨ ପାଳିତ
ବାଲେଶ୍ୱର : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକା ଏକ ସମାଜ ମଙ୍ଗଳ ରାଷ୍ଟ୍ର ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଶାସନର ତୃଟି ବିଚ୍ୟୁତି ସୁଧାରିବାରେ ଏହା ସାହାଯ୍ୟ କରେ । ଗଣମାଧ୍ୟମର ରଚନାତ୍ମକ ସମାଲୋଚନା ପ୍ରଶାସନକୁ ଉତ୍ତମସେବା ଯୋଗାଇ ଦେବା ପାଇଁ ପ୍ରୋତ୍ସାହିତ କରେ । ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ -୨୦୨୨ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପରୋକ୍ତ ଉକ୍ତି ବ୍ୟକ୍ତ କରିଥିଲେ ।
ଏହି ଜାତୀୟ ପ୍ରେସ ଦିବସ ପାଳନ ସମାରୋହରେ ଏ ବର୍ଷର ଆଲୋଚ୍ୟ ବିଷୟ, “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ନିମନ୍ତେ ଜିଲାପାଳ ଶ୍ରୀ ଶିନ୍ଦେ ବରିଷ୍ଠ ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କରିଥିଲେ । ବାଲେଶ୍ୱରର ଗଣମାଧ୍ୟମ ସର୍ବଦା ସକ୍ରିୟ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ଆଲୋଚନା ଚକ୍ରର ମୁଖ୍ୟ ବକ୍ତା ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ବିଭିନ୍ନ ସମୟରେ ସମାଜର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ରାଷ୍ଟ୍ର ଗଠନରେ ଏହାର ଅବଦାନ ମୂଳକ ଭୂମିକା ନିର୍ବାହ କରିଆସିଛି ବୋଲି କହିଥିଲେ । ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଉପଜିଲାପାଳ ତଥା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଚୌହାନ କୁନାଲ ମୋତିରାମ ଏକ ସତ୍ୟ ଘଟଣା ଉପରେ ଆଧାରିତ ଉଦାହରଣ ମାଧ୍ୟମରେ ଦର୍ଶାଇଥିଲେ ଯେ, ବିପରୀତ ସାମାଜିକ ପରିସ୍ଥିତିରେ ମଧ୍ୟ ଗଣମାଧ୍ୟମ ଏହାର ସମ୍ବାଦ ପରିବେଷଣ ଦ୍ୱାରା ସମାଜରେ ଏକ ଯୁକ୍ତାତ୍ମକ ଓ ସୁସ୍ଥ ମାନସିକ ପରିବେଶ ସୃଷ୍ଟି କରିପାରିବ ।
ଆଲୋଚନା ଚକ୍ରର ପ୍ରାରମ୍ଭରେ ବାଲେଶ୍ୱରର ଦିବଙ୍ଗତ ଯୁବ ସାମ୍ବାଦିକ ୰ ସୁଶାନ୍ତ କୁମାର ବେହେରାଙ୍କ ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନା ଚକ୍ରରେ ଭାଗ ନେଇ ସାମ୍ବାଦିକମାନେ କର୍ତ୍ତବ୍ୟ ସାଧନରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଆମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନିଜର ବକ୍ତବ୍ୟ ରଖି ସାମ୍ବାଦିକମାନଙ୍କର କର୍ତ୍ତବ୍ୟ ସହିତ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲା ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି ପ୍ରେସ ଦିବସ -୨୦୨୨ ସମାରୋହରେ ସ୍ୱାଗତ ଭାଷଣ ଦେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପ୍ରେସ ଦିବସ ପାଳନର ଇତିହାସ ଓ ଏହାର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶ୍ରୀ ଭୂୟାଁ ସଭା ଓ ଆଲୋଚନା ଚକ୍ର ପରିଚାଳନା କରିବା ସହିତ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।