ନୀଳଗିରିକୁ ଜିଲା ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ
![](https://thetruths.in/wp-content/uploads/2023/10/Nilagiri-Shutdown-1024x473.jpg)
ନୀଳଗିରି : ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀଳଗିରିକୁ ଜିଲା ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ଏହି ବନ୍ଦ ଡାକରାକୁ ନୀଳଗିରିର ଜନସାଧାରଣ ବିପୁଳ ସମର୍ଥନ ଦେବା ସହ ଦୋକାନ ବଜାର, ସମସ୍ତ ଅଫିସ୍ ବନ୍ଦ ଓ ଗାଡ଼ି ମଟର ଚଳାଚଳ ଠପ୍ ଥିବାର ଦେଖିବାକୁ ମିଳିଛି ।
![](https://thetruths.in/wp-content/uploads/2023/10/Nilagiri-Shutdown-1-1024x405.jpg)
ନୀଳଗିରିକୁ ସ୍ୱତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କ ଠାରେ ଦାବି ହୋଇଆସୁଛି । ଗତ ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ ତୁରନ୍ତ ସରକାର ଜିଲା ଘୋଷଣା କରନ୍ତୁ ବୋଲି ଦୃଢ଼ ଦାବି ମଧ୍ୟ ହୋଇଥିଲା । ନୀଳଗିରି ଉପ-ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପରିଣାମ ମିଳିପାରିଲା ନାହିଁ । ସ୍ୱାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ସ୍ୱାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ୱତନ୍ତ୍ର ଅଧିକାର ମିଳିବ ବୋଲି ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ ନୀଳଗିରିକୁ ବିଶେଷ ଅଧିକାର ସ୍ୱରୂପ ଜିଲା ମାନ୍ୟତା ହକ୍ଦାର ବୋଲି ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଦୃଢ଼ ମତବ୍ୟକ୍ତ କରିଛନ୍ତି । ସ୍ୱାଭିମାନୀ ନୀଳଗିରିବାସୀ ତାର ହକ୍ ପାଇଁ ଲଘୁଚାପ ଜନିତ ବର୍ଷାକୁ ଖାତିର ନକରି ଜିଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ମଙ୍ଗଳବାର ସକାଳ ୬ ଘଟିକାରୁ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ବନ୍ଦ ସଫଳ ହୋଇଛି । ସମସ୍ତ ଅଫିସ୍ ଓ ଦୋକାନ ବଜାର ବନ୍ଦ ଥିବାବେଳେ ୧୯ନଂ ରାଜ୍ୟ ରାଜପଥ ନୀଳଗିରି ବାଇପାସ ଛକ ଠାରେ ରାସ୍ତା ଉପରେ ବହୁ ଯାନବାହାନ ଅଟକି ରହିଥିଲା । ଏହି ବନ୍ଦ ଡାକରା ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ବାଉଁଶ ବଣିଆ ସରପଞ୍ଚ ନିରଞ୍ଜନ ବାରିକ, କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ରାଧାଗୋବିନ୍ଦ ଖଟୁଆ, ମନୋରଞ୍ଜନ ବେହେରା, ଦୟାନିଧି ମିଶ୍ର, ବାଞ୍ଛାନିଧି ପାତ୍ର, ସୁରେଶ ବେହେରା, ପ୍ରଫୁଲ୍ଲ ବେହେରା, ଜସବନ୍ତ ରାଉତ, ସୁଧାରଞ୍ଜନ ମହାପାତ୍ର, ଗଦାଧର ପରିଡ଼ା, କିଶୋର ଦାସ, କୃଷ୍ଣଚନ୍ଦ୍ର ନାୟକ, ଦେବେନ୍ଦ୍ର ପଣ୍ଡା, ସୁରେଶ ଦାସ ପ୍ରମୁଖଙ୍କ ସମେତ ନୀଳଗିରି ଉପଖଣ୍ଡର ବିଭିନ୍ନ ପ୍ରାନ୍ତରୁ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିବା ସହ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କମିଟି ଚେତାବନୀ ଦେଇଛି ।