ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ଼ ବଣ୍ଟନ
ନୀଳଗିରି : ଓଡ଼ିଶାବାସୀଙ୍କ ପ୍ରତି ପରିବାରକୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରି ପ୍ରତି ପରିବାରର ପ୍ରତ୍ୟେକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ଏହି କ୍ରମରେ ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ତରଫରୁ ବିଡ଼ିଓ ଆଦିକନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟ ନବୀନ କାର୍ଡ଼ ବାଉଁଶବଣିଆ ପଞ୍ଚାୟତ କାର୍ଯ୍ୟଳୟରେ ବଣ୍ଟନ କରାଯାଇଥିଲା ।
ମୁଖ୍ୟଅତିଥି ଭାବରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ କରିଥିଲେ । ଏହି ଉପଲକ୍ଷେ ଉତ୍ତର ଔପଦାର ୫ଗୋଟି ପଞ୍ଚାୟତ ଯଥା ଇଶ୍ୱରପୁର, କାଣ୍ଡଗରଡ଼ି, ଶ୍ୟାମସୁନ୍ଦରପୁର, ବାଉଁଶବଣିଆ, ଦକ୍ଷିଣନରସିଂହପୁର ପଞ୍ଚାୟତର ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା । ମୋଟ୍ ୧୩୦୪ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ବେଳେ ୭୦୫ଟି କାର୍ଡ଼ ମଞ୍ଜୁର ହୋଇଛି । ସେଥିମଧ୍ୟରୁ ୫୯୮କାର୍ଡ଼ ବଣ୍ଟନ ପାଇଁ ଆସିଥିବା ବେଳେ ଆଜି ୪୭୯ଟି କାର୍ଡ଼ ବଣ୍ଟନ କରାଯାଇଛି । ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଔପଦା ବ୍ଲକ ଉପାଧ୍ୟକ୍ଷ ପ୍ରଭାକର ସାହୁ, ଇଶ୍ୱରପୁର ମେଡିକାଲ ଅଫିସର ଡ. କୈଳାସ ଚନ୍ଦ୍ର ବେହେରା, ବ୍ଲକ ଇଞ୍ଜିନିୟର ମମତାରାଣୀ ମାହାତ, ଶ୍ୟାସୁନ୍ଦରପୁର ସରପଞ୍ଚ ପୁରସ୍ତମ ସେଠୀ, କାଣ୍ଡଗରଡ଼ି ସରପଞ୍ଚ ରାଜେନ୍ଦ୍ର ରାଉତ, ସମିତି ସଭ୍ୟ ଭାଗବତ ଖିଲାର, ଦକ୍ଷିଣନରସିଂହପୁର ସରପଞ୍ଚ ଅଶୋକ ଜେନା, ସମିତି ସଭ୍ୟା ପଦ୍ମଜା କାନୁନଗୋ,ଇଶ୍ୱରପୁର ସରପଞ୍ଚ ସାଧନା ମହାଳିକ, ଔପଦା ଏମ୍ଆଇ ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନାରେ ହିତାଧିକାରୀ ମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଯୋଜନାର ଫାଇଦା ନେବାକୁ ଆହ୍ୱାନ ଦେଇଥିଲେ । ଦକ୍ଷିଣନରସିଂହ ପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ ସେଠୀ, ମାୟାଧର ବାହାଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।