ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବସିଲେ ଜଣେ ପୋଲିସ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି । ଆଜି ସକାଳୁ ୩ ଏଏସପି, ୧୦ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟରଙ୍କଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଭୁବନେଶ୍ୱର ମନୋରମା ଇଷ୍ଟେଟ୍ରେ ଥିବା ଫ୍ଲାଟ, ନବରଙ୍ଗପୁର ଡାବୁଗାଁରେ ଥିବା ଘର, ଯାଜପୁର ବଡଚଣାରେ ଥିବା ଶ୍ୱଶୂର ଘର, ଯାଜପୁର ତେଲିଗଡ଼ରେ ଥିବା ଶାନ୍ତିଲତା ଫାର୍ମ ହାଉସରେ ରେଡ୍ କରାଯାଉଛି । ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂ ହୋମ୍ ଏବଂ ଔଷଧ ଦୋନାକରେ ଚଢାଉ କରୁଛି ଭିଜିଲାନ୍ସ । ଏହା ସହ ନର୍ସିଂ ହୋମ୍ ନିକଟରେ ଥିବା ଶାନ୍ତିଲତା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରାଯାଉଛି । ସେହିପରି ଜଗତସିଂହପୁରରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । କଟକ ମହାନଦୀ ବିହାରରେ ତ୍ରିନାଥ ମିଶ୍ରଙ୍କ ଦୁଇ ପୁଅ ତୁଷାର ମିଶ୍ର ଓ ତରୁଣ ମିଶ୍ରଙ୍କ ନାଁରେ ଏକ ଔଷଧ ଉତ୍ପାଦନ ୟୁନିଟ୍ ରହିଛି । ସେଠାରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଏହା ସହ କଟକ ତୁଳସୀପୁରରେ ଥିବା ସିଗ୍ନାଲ ଏସ୍ପି ଅଫିସ୍ ଓ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରୁଛି । ସୂଚନା ଯେ, ତ୍ରିନାଥ ମିଶ୍ର କମିଶନରେଟ୍ ପୋଲିସରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡିସିନାଲ ଡିସିପି ଭାବେ କାର୍ଯ୍ୟ କରିଛନ୍ତି ।