ଚିନ୍ତା ବଢାଇଲା ଧାରୱାଦ, କଲେଜରୁ ପୁଣି ୯୯ ପଜିଟିଭ ଚିହ୍ନଟ
ବେଙ୍ଗାଲୁର : ବିଦେଶରେ ନ୍ୟୁ ଭାରିଆଣ୍ଟ ଓମିକ୍ରମନ ଚିନ୍ତା ବଢାଇ ଥିବାବେଳେ ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି ବିଭିନ୍ନ ମେଡିକାଲ କଲେଜ । ୯୯ ନୂଆ ମାମଲାକୁ ମିଶାଇ କର୍ଣ୍ଣାଟକ ଧାରୱାଦର ମେଡିକାଲ କଲେଜରେ ସଂକ୍ରମଣ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏନେଇ ଧାରୱାଦ ଜିଲ୍ଲାପାଳ ନୀତିଶ ପାଟିଲ ସୂଚନା ଦେଇଛନ୍ତି । ପାଟିଲ କହିଛନ୍ତି ଯେ, ଆଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ । କାରଣ ୧୮୨୨ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୮୧ ଜଣଙ୍କ ମଧ୍ୟରୁ କେବଳ ୬ ଜଣଙ୍କର ଅଧିକ ଲକ୍ଷଣ ରହିଛି । ଅନ୍ୟମାନେ ଲକ୍ଷଣହୀନ । କିନ୍ତୁ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହ ଚିକିତ୍ସା କରାଯାଉଛି ।
ସୂଚନା ଯେ, କର୍ଣ୍ଣାଟକର ଧାରୱାଦ ଜିଲାର ଏସଡ଼ିଏମ ମେଡିକାଲ କଲେଜରୁ ପ୍ରଥମେ ୬୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ, ଜିଲ୍ଲା ପ୍ରଶାସନ ଅନ୍ୟମାନଙ୍କ ନମୂନା ପରୀକ୍ଷା କରିଥିଲା । ସେମାନଙ୍କ ମଧ୍ୟରୁ ୧୧୬ ଜଣ ଶୁକ୍ରବାର ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୯୯ ଜଣ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧୭ରେ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କଲେଜକୁ ଲାଗିଥିବା ୫୦୦ ମିଟର ପରିଧି ମଧ୍ୟରେ ଥିବ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ନୀତେଶ ପଟେଲ କହିଛନ୍ତି ଯେ, କ୍ୟାମ୍ପସ ଭିତରେ ପ୍ରାୟ ୩୦୦୦ ଲୋକଙ୍କ ଆରଏଟି ଏବଂ ଆରଟିପିସିଆର ଟେଷ୍ଟ କରାଯାଇଛି । କ୍ୟାମ୍ପସ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେପଟେ କର୍ଣ୍ଣାଟକରେ ଆଜି ୪୦୧ ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହୋଇ ଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।