ଆରମ୍ଭ ହେଲା ଧର୍ମ ମାସ କାର୍ତ୍ତିକ ! ପଡ଼ିଥାଏ ଅନେକ ପର୍ବପର୍ବାଣୀ, ଜାଣନ୍ତୁ କଣ….
ଆଜିଠୁ ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ବର୍ଷକ ୧୨ ମାସ ଭିତରେ ଧର୍ମ ମାସ ଭାବରେ ଏହି ମାସଟି ବେଶ୍ ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ୟ୍ୟନ୍ତ ଅତ୍ୟନ୍ତ ପବିତ୍ର। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ, ବକ ପଞ୍ଚୁକ, ମହାପଞ୍ଚୁକ ଇତ୍ୟାଦି କୁହାଯାଏ।
ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ। ମାସ ସାରା ଆମିଷ ଭକ୍ଷଣ ବାରଣ ରହିଛି। ମାସସାରା ପାଳି ନ’ପାରିଲେ ପଞ୍ଚୁକ ପାଞ୍ଚଦିନ ଆମିଷ ଭକ୍ଷଣ ନିହାତି ବାରଣ ରହିଛି। କୁହାଯାଏ, ଏପରିକି ପଞ୍ଚୁକ ଏହି ପାଞ୍ଚ ଦିନରେ ବଗ ମଧ୍ୟ ଆମିଷ ଖାଇବା ଛାଡ଼ିଦିଏ। କାର୍ତ୍ତିକ ମାସ ମଧ୍ୟରେ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା (ବୋଇତ ବନ୍ଦାଣ), ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଆଦି ପୂଜା ପର୍ବାଣୀ ପଡ଼ିଥାଏ। ହିନ୍ଦୁ ମହିଳାମାନେ ଏହି କାର୍ତ୍ତିକ ମାସରେ ଅତି ନିଷ୍ଠାର ସହ ପାଳନ କରିଥାଆନ୍ତି ହବିଷ। ସେମାନଙ୍କୁ ହବିଷ୍ୟାଳି କୁହାଯାଏ। ହବିଷ ପାଇଁ ପୁରୀରେ ବହୁ ଭିଡ଼ ପରିଲିକ୍ଷିତ ହୋଇଥାଏ।କୁହାଯାଏ, “ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦ୍ରିକାଧାମ ଶ୍ରେଷ୍ଠ ଅଟନ୍ତି। ଏ’ ତିନି କଳି ଯୁଗରେ ଅତ୍ୟନ୍ତ ଦୁର୍ଲଭ”।
।।“ନାଁ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ’ ବେଦ ସଦୃଶଂ ଶାସ୍ତ୍ରଂ ନ’ ତୀର୍ଥଂ ଗଙ୍ଗାୟା ସମମ୍”।।
ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।
ପାଳନ କରାଯାଉଥିବା ପର୍ବପର୍ବାଣୀ :
କୃଷ୍ଣ ଚତୁର୍ଥୀରେ କରୱା ଚୌଥ, କୃଷ୍ଣ ଦ୍ୱାଦଶୀରେ ଗୋବତ୍ସା ଦ୍ୱାଦଶୀ, କୃଷ୍ଣ ତ୍ରୟୋଦଶୀରେ ଧନ ତ୍ରୟୋଦଶୀ ବା ଧନତେରାସ ବା ଧନ୍ୱନ୍ତରୀ ଜୟନ୍ତୀ, କୃଷ୍ଣ ଚତୁର୍ଦ୍ଦଶୀରେ ନରକ ଚତୁର୍ଦ୍ଦଶୀ, ଅମାବାସ୍ୟାରେ କାଳୀ ପୂଜା, ଦୀପାବଳୀ ଏବଂ ପୟାଶ୍ରାଦ୍ଧ। ସେହିପରି ଶୁକ୍ଳ ଦ୍ୱିତୀୟାରେ ଯମ ଦ୍ୱିତୀୟା, ଶୁକ୍ଳ ଚତୁର୍ଥୀରେ ନାଗ ଚତୁର୍ଥୀ, ଶୁକ୍ଳ ପଞ୍ଚମୀରେ ଲାଭ ପଞ୍ଚମୀ, ଶୁକ୍ଳ ଷଷ୍ଠୀରେ ଛଠ୍ ପୂଜା, ଶୁକ୍ଳ ଅଷ୍ଟମୀରେ ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଶୁକ୍ଳ ନବମୀରେ ଅଅଁଳା ନବମୀ ଏବଂ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭୀଷ୍ମ ପଞ୍ଚକ, ଶୁକ୍ଳ ଏକାଦଶୀରେ ଦେବ ଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ, ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ଶୁକ୍ଳ ଦ୍ୱାଦଶୀରେ ଗରୁଡ଼ ଦ୍ୱାଦଶୀ, ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଶୁକ୍ଳ ଚତୁର୍ଦ୍ଦଶୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ, ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ, ମଳତିଥିରେ ନାଗାର୍ଜୁନ ବେଶ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ। କାର୍ତ୍ତିକ ମାସ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠ କରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ ବୋଲି ବିଶ୍ୱାସ ରହିଛି।
ସ୍କନ୍ଦ ପୁରାଣ ମତେ :
।। “କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ,
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ,
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି,
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ,
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍,
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି” ।।