ଧବଳେଶ୍ୱର ଗଡା ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି
କଟକ : ଧବଳେଶ୍ୱର ଗଡାର ଉଚ୍ଛେଦ କରାଯାଇଥିବା ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ଅଧ୍ୟକ୍ଷା ଗୀତା ଚୟନୀ ଦାବି କରିଛନ୍ତି । ସରକାର ଉକ୍ତ ବସ୍ତିରେ ବିଜୁଳି, ପାନୀୟ ଜଳ, ଅଙ୍ଗନୱାଡି କେନ୍ଦ୍ର ଇତ୍ୟାଦିର ବ୍ୟବସ୍ଥା କରିଥିବା ବେଳେ ବର୍ତ୍ତମାନ କେଉଁ ନ୍ୟାୟରେ ବସ୍ତି ଭାଙ୍ଗୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଉଚ୍ଛେଦ ପୂର୍ବରୁ ଥଇଥାନର ବ୍ୟବସ୍ଥା ନ କରି ପ୍ରଶାସନ ତୋଗଲକି ଶାସନର ନମୁନା ପ୍ରଦର୍ଶନ କରିଛନ୍ତି । ଶୀତରାତିରେ ଛୋଟ ଛୋଟ ପିଲା, ବୟସ୍କ ବ୍ୟକ୍ତି କିଭଳି ରାସ୍ତା ଉପରେ ରହିବେ ସେ ସଂପର୍କରେ ପ୍ରଶାସନ ବେପରୁଆ ଭାବ ପ୍ରଦର୍ଶନ କରିଛି ବୋଲି କହି ଏହାକୁ ସେ ତୀବ୍ର ନିନ୍ଦା କରିଛନ୍ତି । ଉଚ୍ଛେଦ ବସ୍ତିବାସୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଦିନ ରନ୍ଧା ଖାଦ୍ୟ ଓ ଶୀତବସ୍ତ୍ର ଯୋଗାଇ ଦେବାକୁ ଶ୍ରୀମତୀ ଚୟନୀ ଦାବି କରିଛନ୍ତି । ନଚେତ ହିନ୍ଦୁ ମହାସଭା ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସେ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।