ତୃତୀୟଥର ପାଇଁ ଘୁଞ୍ଚିଲା ଦିଲ୍ଲୀ ଏମ୍ସିଡି ମେୟର ନିର୍ବାଚନ
ଗୃହରେ ଆପ୍-ବିଜେପି କାଉନସିଲରଙ୍କ ପ୍ରବଳ ହଙ୍ଗାମା
ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ନିର୍ବାଚନ ଆଜି ମଧ୍ୟ ହୋଇପାରିଲାନି । ପ୍ରବଳ ହଙ୍ଗାମା ପରେ ଗୃହ କାର୍ଯ୍ୟକୁ ପୁଣିଥରେ ମୁଲତବୀ ରଖାଯାଇଛି । ସୋମବାର ଏମସିଡି ବୈଠକ ଆରମ୍ଭ ହେବା ପରେ ପ୍ରୋଟେମ ବାଚସ୍ପତି ସତ୍ୟ ଶର୍ମା ଘୋଷଣା କରିଥିଲେ ମନୋନୀତ କାଉନସିଲରମାନେ ଏମସିଡି ମେୟର, ଡେପୁଟି ମେୟର, ସ୍ଥାୟୀ କମିଟି ସଦସ୍ୟ ନିର୍ବାଚନରେ ମଧ୍ୟ ଭୋଟ୍ ଦେବେ । ଯାହାକୁ ନେଇ ଆମ୍ ଆଦମୀ ପାର୍ଟି ଆପତି ପ୍ରକାଶ କରିଥିଲା । ଏଥି ସହ ବିଜେପି ପକ୍ଷରୁ ନାରାବାଜି ଆରମ୍ଭ ହୋଇଥିଲା । ଯାହାଫଳରେ ଗୃହକାର୍ଯ୍ୟକୁ ମୁଲତବୀ ରଖାଯାଇଥିଲା । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି । ପୂର୍ବରୁ ଆପ୍ ଅଭିଯୋଗ କରିଥିଲା ଯେ, ସୋମବାର ମଧ୍ୟ ବିଜେପି ମେୟର ନିର୍ବାଚନ କରାଇଦେବନି । ସେଭଳି ଆପ୍ କାଉନସିଲରମାନେ ଏମସିଡିର ପ୍ରିଜାଇଡିଂ ଅଫିସରଙ୍କୁ ଚିଠି ଲେଖି ଦାବି କରିଥିଲେ ଯେ, ମନୋନୀତ କାଉନସିଲରମାନଙ୍କୁ ମେୟର ନିର୍ବାଚନରୁ ଦୂରେଇ ରଖାଯାଉ । ତାଙ୍କ କହିବା ଅନୁସାରେ – ସମ୍ବିଧାନରେ ମନୋନୀତ କାଉନସିଲରଙ୍କୁ ଭୋଟ୍ ଦେବାର ଅଧିକାର ନାହିଁ । ଏହି ଚିଠିରେ ୧୩୪ ଆପ୍ କାଉନସିଲର ଏବଂ ଜଣେ ନିର୍ଦ୍ଦଳୀୟ କାଉନସିଲରଙ୍କ ସମେତ ମୋଟ ୧୩୫ କାଉନସିଲରଙ୍କ ଦସ୍ତଖତ ରହିଛି । ମେୟର ନିର୍ବାଚନକୁ ନେଇ ଆପ୍ ଏବଂ ବିଜେପି ମଧ୍ୟରେ ବିବାଦ ଜାରି ରହିଛି । ସର୍ବପ୍ରଥମେ, ଜାନୁଆରୀ ୬ ରେ ନିର୍ବାଚନ ହେବାର ଥିଲା, କିନ୍ତୁ ସେହି ଦିନ ମନୋନୀତ କାଉନସିଲରଙ୍କ ଶପଥ ନେଇ ଗୃହରେ ହଙ୍ଗାମା ଦେଖାଦେଇଥିଲା ।
ଉଭୟ ଦଳର କାଉନସିଲରମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଏହା ପରେ, ୨୪ ଜାନୁଆରୀରେ ଗଉଊ ହାଉସର ଅଧିବେଶନ ଆରମ୍ଭ ହୋଇଥିଲା, ପ୍ରଥମେ ମନୋନୀତ ହୋଇଥିବା ପରେ ନିର୍ବାଚିତ କାଉନସିଲର ମାନେ ଶପଥ ଗ୍ରହଣ କରିଥିଲେ, କିନ୍ତୁ ସେହି ଦିନ ଭୋଟ୍ ମଧ୍ୟ ହୋଇପାରିଲା ନାହିଁ ଏବଂ ଉତେଜନା ପରେ ଗୃହ ସ୍ଥଗିତ ରଖାଯାଇଥିଲା । ଆଜି ବି ଉତେଜନା ପରେ ଗୃହର ପ୍ରକ୍ରିୟା ତୃତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି । ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି । ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ ।