ଆଜି ଦିଲ୍ଲୀ ମେୟର ନିର୍ବାଚନ, ଉପ-ରାଜ୍ୟପାଳ ଓ ଆପ୍ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ
ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମେୟର ନିର୍ବାଚନ ହେବ । ଏହାପୂର୍ବରୁ ଉପ-ରାଜ୍ୟପାଳ ଭିକେ ସକ୍ସେନା ଓ କ୍ଷମତାସୀନ ଆପ୍ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି । ମେୟର ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର କରିଥିବା ସୁପାରିସକୁ ଅଣଦେଖା କରିଛନ୍ତି ଉପ-ରାଜ୍ୟପାଳ ସକ୍ସେନା । ଏଥିସହ ସେ ଜଣେ ବିଜେପି ନେତାଙ୍କୁ ମେୟର ନିର୍ବାଚନକୁ ପରିଚାଳନା କରିବା ପାଇଁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ।
ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଜିତିବା ପରେ ପ୍ରଥମଥର ପାଇଁ ନବ ନିର୍ବାଚିତ କର୍ପୋରେଟରମାନେ ବୈଠକ କରିବାକୁ ଯାଉଛି । ଏହି ସମୟରେ ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆପ୍ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଛି । ଦିଲ୍ଲୀ ସରକାର ଆପର କର୍ପୋରେଟର ମୁକେଶ ଗୋଏଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ । ହେଲେ ଉପ-ରାଜ୍ୟପାଳ ଏହାକୁ ଅଣଦେଖା କରି ବିଜେପି କର୍ପୋରେଟର ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ପଦରେ ବସାଇଛନ୍ତି । ସତ୍ୟ ଶର୍ମା ପୂର୍ବରୁ ପୂର୍ବ ଦିଲ୍ଲୀ ମହାନଗର ନିଗମର ମେୟର ଥିଲେ । ତେବେ ମୁକେଶ ନବ ନିର୍ବାଚିତ କର୍ପୋରେଟରଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ଦିଲ୍ଲୀ ସରକାର ସୁପାରିସ କରିଥିଲେ ।
ଅନ୍ୟପକ୍ଷରେ ମେୟର ପଦ ପାଇଁ ଶେଲୀ ଓବରୟ ଓ ଆଶୁ ଠାକୁର ଆପ୍ରୁ ଲଢ଼ୁଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି । ସେହିପରି ଆପ୍ ଆଲେ ମହମ୍ମଦ ଇକବାଲ ଓ ଜଲଜ କୁମାରଙ୍କୁ ଡେପୁଟି ମେୟର ପ୍ରାର୍ଥୀ କରିଛି । ବିଜେପି କମଳ ବାଗ୍ରୀଙ୍କୁ ଡେପୁଟି ମେୟର ପଦ ପାଇଁ ଚୟନ କରିଛି । ଏସବୁ ଭିତରେ ଉପ ରାଜ୍ୟପାଳ ସକ୍ସେନା ବିଜେପିର ଜଣେ ନେତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଦାୟିତ୍ୱ ଦେଇଛନ୍ତି । ଏପରି ନିଯୁକ୍ତିକୁ ଆପ୍ ବିରୋଧ କରିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧ୍ୱଂସ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଏହାବାଦ ଉପ ରାଜ୍ୟପାଳ ମେୟର ନିର୍ବାଚନ ପୂର୍ବରୁ ୧୦ ଜଣ ବ୍ୟକ୍ତିଙ୍କୁ ମନୋନୀତ କର୍ପୋରେଟର ଭାବେ ଚୟନ କରିଥିବାରୁ ଏହାକୁ ମଧ୍ୟ ଆପ୍ ବିରୋଧ କରିଛି ।
ସୂଚନା ଯେ, ଏମସିଡି ନିର୍ବାଚନର ୨୫୦ ଆସନରୁ ଆପ୍ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ଓ କଂଗ୍ରେସ ୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି ।