ଦିଲ୍ଲୀ ଅବକାରୀ ନୀତି ଆର୍ଥିକ ଦୁର୍ନୀତି ମାମଲା; ହାଇଦ୍ରାବାଦ ଔଷଧ କମ୍ପାନିର ମୁଖ୍ୟ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଆର୍ଥିକ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ହାଇଦ୍ରାବାଦ ସ୍ଥିତ ଏକ ଔଷଧ କମ୍ପାନିର ମୁଖ୍ୟଙ୍କୁ ଗିରଫ କରିଛି। ଗିରଫ ପଦସ୍ଥ ଅଧିକାରୀଜଣକ ହେଉଛନ୍ତି ‘ଅରବିନ୍ଦ ଫାର୍ମା’ର ନିର୍ଦ୍ଦେଶକ ଶରତ ରେଡ୍ଡୀ। ଦିଲ୍ଲୀ ମଦ ନୀତି ମାମଲାରେ ଗିରଫଦାରି ଘଟଣାରେ ସେ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି।
ହାଇଦ୍ରାବାଦରେ ଥିବା ମଦ ପ୍ରସ୍ତୁତିକାରୀ ଏହି ଔଷଧ କମ୍ପାନି ଦିଲ୍ଲୀରେ ମଧ୍ୟ କେତୋଟି ଲାଇସେନ୍ସ୍ ପାଇଛି। ଏହାଛଡ଼ା, କେତେକ ରିୟଲ୍ ଇଷ୍ଟେଟ୍ ବ୍ୟବସାୟରେ ମଧ୍ୟ ଏହି କମ୍ପାନି ସମ୍ପୃକ୍ତ ଅଛି। ଏହାଛଡ଼ା, ଏହି ମାମଲାରେ ସମ୍ପୃକ୍ତ ଥିବା ବିଜୟ ବାବୁ ନାମରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି। ସୂଚନା ଯେ, ପୂର୍ବରୁ ଇଡି ତାଙ୍କର ବାସଭବନ ଓ ପ୍ରତିଷ୍ଠାନ ତଲାସ କରିବା ସହିତ ତାଙ୍କୁ ଦୁଇଥର ଜେରା କରିଥିଲା।