କରୋନା ସତ୍ତ୍ଵେ ଖେଳାଯିବ ଦିଲ୍ଲୀ-ହାଇଦ୍ରାବାଦ ମ୍ୟାଚ୍ : ବିସିସିଆଇ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୧ର ପିଛା ଛାଡ଼ୁନି କରୋନା। ଏବେ ପୁଣି ଆଇପିଏଲରେ କରୋନାର ଏଣ୍ଟ୍ରୀ ହୋଇଛି। ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଉପରେ ବିପଦ ଘନେଇଛି। ହେଲେ ବିସିସିଆଇ ମୁକାବିଲା ନେଇ ବୁଧବାର ବଡ ନିଷ୍ପତ୍ତି ଶୁଣାଇଛି। ବିସିସିଆଇ ସ୍ପଷ୍ଟ କରି ଦେଇଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ନିର୍ଦ୍ଧାରିତ ସମୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ୩୦ରେ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି ନଟରାଜନଙ୍କୁ ଦଳରୁ ଅଲଗା କରାଯାଇଛି। ତାଙ୍କ ବ୍ୟତୀତ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ମଧ୍ୟ ଆଇସୋଲେଟ୍ କରାଯାଇଛି।
ସନରାଇଜର୍ସ ହାଇଦ୍ରାବାଦ ଦଳରୁ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ସମେତ ମୋଟ୍ ୭ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ଏଥିରେ ବିଜୟ ଶଙ୍କର, ଟିମ ମ୍ୟାନେଜର ବିଜୟ କୁମାର, ଫିଜିଓ ଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ବନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାସାମୀ ଗଣେଶନଙ୍କ ନାମ ସାମିଲ। ଆଇପିଏଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାକି ସଦସ୍ୟଙ୍କ ଆରଟି ପିସିଆର ଟେଷ୍ଟ ନେଗେଟିଭ୍ ଆସିଛି। ତେଣୁ ଆଜି ଖେଳା ଯିବାକୁ ଥିବା ମ୍ୟାଚ୍ ରଦ୍ଦ କରାଯିବ ନାହିଁ। ଆଜିର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ବିଜୟ ଶଙ୍କର ଖେଳି ପାରିବେ ନାହିଁ।