ଦେଶ ରାଜନୀତିରେ ପ୍ରଥମ ଘଟଣା ! ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। କେଜ୍ରିୱାଲଙ୍କ ଦିଲ୍ଲୀ ବାସଭବନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରାଯାଇଥିଲା। ଦେଶର ରାଜନୀତିରେ ଏହା ପ୍ରଥମ ଘଟଣା ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି।
ତେବେ ଏହି ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତୁରନ୍ତ ଆଜି ରାତି ସୁଦ୍ଧା ଏହି ମାମଲାର ଶୁଣାଣି କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଆପ୍ ଆବେଦନ କରିଛି। ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆପ୍ ସମର୍ଥକମାନେ ପ୍ରତିବାଦ ଜାରି ରଖିଛନ୍ତି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।
ପ୍ରଥମେ ଇଡି ଅଧିକାରୀମାନେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିବା ସହିତ ତାଙ୍କୁ ପଚରାଉଚରା କରିଥିଲେ ଓ ତା’ପରେ ତାଙ୍କର ଫୋନ ଜବତ କରିଥିଲେ । ସେହି ସମୟରେ ଆମ୍ ଆଦମୀ ପାର୍ଟି (ଆପ)ର କୌଣସି ମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଘର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନଥିଲା ।
ତେବେ ଗିରଫ ହେବା ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ନା ସେନେଇ ଏବେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗିରଫ ହେବା ପରେ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଭାରତୀୟ ସମ୍ବିଧାନରେ କୌଣସି ସ୍ଥାନରେ ଲେଖାଯାଇ ନାହିଁ । ତେବେ ଏପରି ସ୍ଥିତିରେ କେଜ୍ରିୱାଲ କି ପଦକ୍ଷେପ ନେବେ ତା’ ଉପରେ ଏବେ ସଭିଙ୍କ ନଜର ।