ଡିଫେନ୍ସ ଇଣ୍ଡିଆ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ ୫.୦ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସିଂ ଜରିଆରେ ଅଗଷ୍ଟ ୧୯, ୨୦୨୧ରେ ଡିଫେନ୍ସ ଇଣ୍ଡିଆ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ (ଡିଆଇଏସସି) ୫.୦ର ଶୁଭାରମ୍ଭ କରିଛନ୍ତି । ଇନୋଭେସନ୍ସ ଫର ଡିଫେନ୍ସ ଏକ୍ସେଲେନ୍ସ-ଡିଫେନ୍ସ ଇନୋଭେସନ ଅର୍ଗାନାଇଜେସନ (ଆଇଡିଇଏକ୍ସ-ଡିଆଇଓ) ଅଧୀନରେ ଏହାର ଆରମ୍ଭ କରାଯାଇଛି । ଡିଆଇଏସସି ୫.୦ରେ ସେନାବାହିନୀରୁ ୧୩ଟି ଏବଂ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ଡିପିଏସୟୁ)ରୁ ୨୨ଟିକୁ ମିଶାଇ ମୋଟ ୩୫ଟି ପ୍ରୋବ୍ଲେମ ଷ୍ଟେଟମେଂଟ (ସମସ୍ୟା ସମାଧାନ ବିବରଣୀ) ଉନ୍ମୋଚନ କରାଯାଇଛି । ସିଚୁଏସନାଲ ଆୱାରନେସ ବା ପରିସ୍ଥିତିଜନିତ ସଚେତନତା, ପରିବର୍ଦ୍ଧିତ ବାସ୍ତବତା ବା ଅଗମେେଂଟଡ ରିୟଲିଟି, ଆର୍ଟିଫିସିଆଲ ଇେଂଟଲିଜେନ୍ସ ବା କୃତ୍ରିମ ବୌଦ୍ଧିକତା, ଯୁଦ୍ଧବିମାନ-ପ୍ରଶିକ୍ଷଣ, ନନ୍-ଲିଥାଲ ଡିଭାଇସ, ଫାଇଭ ଜି ନେଟୱର୍କ, ଅଣ୍ଡରୱାଟର ଡୋମେନ ଆୱାରନେସ ବା ଗଭୀର ଜଳ କ୍ଷେତ୍ରରେ ସଚେତନତା, ଡ୍ରୋନ ଏସଡବ୍ଲୁଏଆରଏମଏସ ଏବଂ ଡାଟା କ୍ୟାପଚରିଂ ଆଦି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି । ନିକଟ ଭବିଷ୍ୟତରେ ସାମରିକ କ୍ଷମତା ବୃଦ୍ଧି ସୁନିଶ୍ଚିତ କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ପ୍ରୋବ୍ଲେମ ଷ୍ଟେଟମେଂଟଗୁଡ଼ିକ ସଦ୍ୟତମ ଓ ସର୍ବୋଚ୍ଚ ସଂସ୍କରଣ ଉପରେ ଆଧାରିତ ।
ଆଇଡିଇଏକ୍ସ-ଡିଆଇଓକୁ ପ୍ରଶଂସା କରି ଶ୍ରୀ ରାଜନାଥ ସିଂ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ସମୟରେ ଡିଆଇଏସସି ୫.୦ର ଶୁଭାରମ୍ଭ କରାଯିବା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଡିଆଇଏସସି ୫.୦ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର’ ହେବା ଦିଗରେ ସରକାରଙ୍କ ସଂକଳ୍ପର ଏକ ପ୍ରତିଫଳନ ବୋଲି ସେ କହିଥିଲେ । ପୂର୍ବ ସଂସ୍କରଣ ତୁଳନାରେ ଏହି ଚ୍ୟାଲେଞ୍ଜ ଆହୁରି ଅଧିକ ଉପଲବ୍ଧି ହାସଲ କରିବ ଏବଂ ନବୋନ୍ମେଷ, ଡିଜାଇନ ଓ ବିକାଶକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇସାରିଥିବା ଡିଆଇଏସସିର ଚାରିଟି ସଂସ୍କରଣ ବିଷୟରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୪୦ରୁ ଅଧିକ ପ୍ରଯୁକ୍ତି କ୍ଷେତ୍ରରେ ୮୦ରୁ ଅଧିକ ଷ୍ଟାର୍ଟଅପ୍ସ, ଏମଏସଏମଇ ଏବଂ ବ୍ୟକ୍ତିଗତ ଉଦ୍ଭାବକମାନେ ବିଜେତା ଭାବେ ଏଥିରେ ସାମିଲ ହୋଇଥିଲେ । ସେ ଆହୁରି କହିଥିଲେ ଯେ ଡିଆଇଏସସି ୫.୦ରେ ଉନ୍ମୋଚନ ହୋଇଥିବା ଆଧୁନିକ ଓ ଭବିଷ୍ୟ ଉନ୍ମୁଖି ପ୍ରୋବ୍ଲେମ ଷ୍ଟେଟମେଂଟଗୁଡ଼ିକ ଏଥିରେ ଅଂଶଗ୍ରହଣ କରିଥିବା ଯୁବ ଉଦ୍ୟମୀ ଏବଂ ଉଦ୍ଭାବକମାନଙ୍କ ଆତ୍ମବିଶ୍ୱାସକୁ ଦର୍ଶାଉଛି । ବିଶ୍ୱର ଭୂ-ରାଜନୈତିକ ଏବଂ ସୁରକ୍ଷା ପରିଦୃଶ୍ୟ ଦ୍ରୁତ ଗତିରେ ବଦଳିବାକୁ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଏକ ଦୃଢ଼, ଆଧୁନିକ ଏବଂ ସୁସଜ୍ଜିତ ସାମରିକ ଶକ୍ତି ସହିତ ଅନୁରୂପ ଭାବେ ସମର୍ଥ ଓ ଆତ୍ମନିର୍ଭର ପ୍ରତିରକ୍ଷା ଉଦ୍ୟୋଗ ନିର୍ମାଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଲକ୍ଷ୍ୟ ହାସଲ ଦିଗରେ, ଆଇଡିଇଏକ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ସରକାର, ସେନାବାହିନୀ, ବିଶେଷଜ୍ଞ, ଉଦ୍ୟୋଗ, ଷ୍ଟାର୍ଟଅପ, ଉଦ୍ଭାବକମାନଙ୍କୁ ଏକ ମଂଚ ଯୋଗାଇଛି । ଯାହାଫଳରେ ସେମାନେ ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରକୁ ପୂର୍ଣ୍ଣ ସମ୍ଭାବନା ଦିଗରେ ପହଂଚାଇବା ଲାଗି ମିଳିତ ଭାବେ କାର୍ଯ୍ୟ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଥିଲେ ଯେ ଆଇଡିଇଏକ୍ସ୪ଫଉଜୀ ଏହିପରି ଏକ ଯୋଜନା ଯାହା ସେନାବାହିନୀର କର୍ମଚାରୀମାନଙ୍କୁ ଏହିସବୁ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଲାଗି ସୁଯୋଗ ଯୋଗାଇ ଦେଉଛି । ଆଇଡିଇଏକ୍ସ ଦେଶରେ ପ୍ରତିଭା ଓ ଚାହିଦା ମଧ୍ୟରେ ରହିଥିବା ବ୍ୟବଧାନକୁ ପୂରଣ କରିବା କ୍ଷେତ୍ରରେ ସଫଳ ହୋଇଛି । ନବୋନ୍ମେଷକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ସିଂ କହିଥିଲେ । ସେ କହିଥିଲେ ଯେ, ୨୦୨୧-୨୨ ଆର୍ôଥକ ବର୍ଷରେ ଆଇଡିଇଏକ୍ସ ଜରିଆରେ ୧,୦୦୦ କୋଟି ଟଙ୍କାର ଘରୋଇ କ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି । ୩୦୦ରୁ ଅଧିକ ଷ୍ଟାର୍ଟଅପକୁ ସହାୟତା ଯୋଗାଇ ଦେବା ଏବଂ ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରରେ ନବୋନ୍ମେଷକୁ ପ୍ରୋତ୍ସାହନ ଦେବା ଲାଗି ଆସନ୍ତା ୫ ବର୍ଷ ପାଇଁ ୪୯୮.୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସୂଚନାଯୋଗ୍ୟ ଯେ ଆଇଡିଇଏକ୍ସ-ଡିଆଇଓ ଦ୍ୱାରା ଡିଆଇଏସସି ୧.୦ ଶୁଭାରମ୍ଭ କରାଯିବାର ତିନି ବର୍ଷ ପରେ ଡିଆଇଏସସି ୫.୦ ଆରମ୍ଭ କରାଯାଇଛି । ଭାରତର ପ୍ରତିରକ୍ଷା ପ୍ରଯୁକ୍ତି, ଉପକରଣ ଡିଜାଇନ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ଏହା ଏକ ବୃହତ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦୧୮ରେ ଆଇଡିଇଏକ୍ସ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରରେ ନବୋନ୍ମେଷକୁ ପ୍ରୋତ୍ସାହନ, ପ୍ରଯୁକ୍ତି ବିକାଶ ଏବଂ ଆତ୍ମନିର୍ଭରଶୀଳତା ହାସଲ କରିବା ଏହାର ଉଦ୍ଦେଶ୍ୟ ।