ଆହତ ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ୍ ପଡିବେ ଚହର!
ମୁମ୍ବାଇ : ଆହତ ହେବା ପରେ ବଢିଲା ସସପେନ୍ସ । ଭାରତୀୟ ଟି-୨୦ ଦଳର ପ୍ରମୁଖ ପେସ୍ ବୋଲର ତଥା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ଦଳର ସଦସ୍ୟ ଦୀପକ ଚହର ଆଗାମୀ ୪ ମାସ ପର୍ଯ୍ୟନ୍ତ କ୍ରିକେଟ୍ ମଇଦାନକୁ ଫେରିପାରିବେ ନାହିଁ । ଏପରିକି ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍ ବେଳକୁ ସେ ଫିଟ୍ ହେବା ନେଇ ଆଶଙ୍କା ରହିଛି । ଫଳରେ ସେ ଟି-୨୦ ବିଶ୍ୱକପରୁ ବାଦ୍ ପଡି ପାରନ୍ତି ବୋଲି ଆଲୋଚନା ଜୋର ଧରିଛି ।
ସୂଚନା ଯେ, ଚଳିତ ଆଇପିଏଲ୍-୨୦୨୨ ମେଗା ନିଲାମରେ ଚେନ୍ନାଇ ଦୀପକଙ୍କୁ ୧୪କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ସେତେବେଳେ ଦୀପକ ଆହତ ଥିଲେ । ତାଙ୍କ ଡାହାଣ ଜଙ୍ଘ ସମ୍ମୁଖ ଭାଗ ମାଂସ ପେଶୀରେ ଆଘାତ ଲାଗିଥିଲା । ଚଳିତ ମାସ ଶେଷ ସୁଦ୍ଧା ସେ ଫିଟ୍ ହୋଇ ଆଇପିଏଲ୍କୁ ଫେରିବେ ବୋଲି ଆଶା କରାଯାଉଥିଲା । ଜାତୀୟ କ୍ରିକେଟ୍ ଏକାଡେମୀରେ ସେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ସେ ପୁଣି ଆହତ ହୋଇଛନ୍ତି । ତାଙ୍କ ପିଠିରେ ଯନ୍ତ୍ରଣା ରହିଛି । ଆଘାତ ଗୁରୁତର ରହିଛି ଓ ଫିଟ୍ ହେବା ପାଇଁ ତାଙ୍କୁ ଅତି କମ୍ରେ ୪ମାସ ସମୟ ଲାଗିବ ବୋଲି ଜଣାପଡିଛି ।