ସୈନ୍ୟ ଅପସାରଣ ନିଷ୍ପତ୍ତି ସଠିକ୍ ଏବଂ ସୁଚିନ୍ତିତ : ବାଇଡେନ୍
ୱାସିଂଟନ : ଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟ ଅପସାରଣ ପରେ ହ୍ବାଇଟ୍ ହାଉସରୁ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ସୈନ୍ୟ ଅପସାରଣ ନିଷ୍ପତ୍ତି ସଠିକ୍ ଏବଂ ସୁଚିନ୍ତିତ । ଏହା ଆମେରିକା ପାଇଁ ସର୍ବୋତ୍ତମ ନିଷ୍ପତ୍ତି। ତାଲିବାନ୍ ସହ ରାଜିନାମା କରିଥିବାରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ ଡ୍ ଟ୍ରମ୍ପ୍ ଙ୍କୁ ଦାୟୀ କରିଛନ୍ତି ବାଇଡେନ୍ । ଆମେରିକା ଯେଭଳି ଗୋଳମାଳିଆ ପରିସ୍ଥିତିରେ ଆଫଗାନିସ୍ତାନ ପରିତ୍ୟାଗ କଲା, ସେ ସଂକ୍ରାନ୍ତରେ ବାଇଡେନ୍ ଙ୍କୁ ଅନେକ ତୀବ୍ର ସମାଲୋଚନା କରିଥିଲେ ଟ୍ରମ୍ପ। ବାଇଡେନ୍ କହିଛନ୍ତି ଯେ ହିଂସାକାଣ୍ଡ ବ୍ୟତିରକେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରୁ ନିସ୍ତାର ପାଇ ଚିର ବିଦାୟ ନେବା ଥିଲା ଅତ୍ୟନ୍ତ କଠିନ। ଆଫଗାନିସ୍ତାନରେ ଆଉ ଗୋଟିଏ ଦଶନ୍ଧି ଧରି ଯୁଦ୍ଧ ଚାଲୁ ରଖିବାକୁ କହୁଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ପଚାରୁଛି ଯେ, ଏହାଦ୍ବାରା କେଉଁ ପ୍ରକାରର ଗୁରୁତ୍ବପୂର୍ଣ୍ଣ ଜାତୀୟ ସ୍ବାର୍ଥ ହାସଲ କରାଯାଇ ପାରିଥାଆନ୍ତା। ବିଲିୟନ୍ ବିଲିୟନ୍ ଡଲାର ବ୍ୟୟ କରି ଆଫଗାନିସ୍ତାନରେ ହଜାର ହଜାର ଆମେରିକୀୟ ସୈନ୍ୟ ମୁତୟନ କରିବା ଦ୍ବାରା ଆମେରିକାର ସୁରକ୍ଷା ଏବଂ ନିରାପତ୍ତା ବୃଦ୍ଧି ପାଇ ନ ଥାଆନ୍ତା ବୋଲି ବାଇଡେନ୍ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଫାଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାର ହୋଇଛି । କିନ୍ତୁ ଏବେ ବି ଆମେ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିବୁ । ଏଥିଲାଗି କୌଣସି ଦେଶରେ ସେନା ବେସ୍ ନିର୍ମାଣ କରିବୁନାହିଁ ।
ଆମେରିକାର ରାଷ୍ଟ୍ରପତିଙ୍କ ବିବୃତ୍ତିରେ କହିଛନ୍ତି ଯେ, ଆଫାଗାନିସ୍ତାନରେ ଟ୍ରିଲିୟମ ଡଲାର ଖର୍ଚ୍ଚ ହୋଇଛି । ଏହାସହିତ ବହୁ ଆମେରିକୀୟ ସୈନିକଙ୍କ ପ୍ରାଣ ମଧ୍ୟ ଯାଇଛି । ଆଫଗାନିସ୍ତାନରେ ନିହତ ହୋଇଥିବା ଆମେରିକୀୟ ସେବା ସଦସ୍ୟଙ୍କ ସଂଖ୍ୟା ୨୪୬୧ ଥିବା ବେଳେ ଏପ୍ରିଲ ସୁଦ୍ଧା ୩୮୪୬ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ନାଟୋ ଏବଂ ଅନ୍ୟାନ୍ୟ ଦେଶର ୧୧୪୪ ସେବା ସଦସ୍ୟଙ୍କ ପ୍ରାଣ ଯାଇଛି । ଆମେରିକୀୟ ସୈନିକମାନେ ଅନ୍ୟମାନଙ୍କର ସେବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ । ଏହା ଯୁଦ୍ଧାର ମିଶନ ନୁହେଁ, ବରଂ ଦୟାର ମିଶନ ।