ହାଇତି ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୨୯୭କୁ ବୃଦ୍ଧି
- ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ହାଇତି : ଦକ୍ଷିଣ-ପଶ୍ଚିମ ହାଇତିରେ ଗତ ଶନିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ଥିଲା । ପେଟିଟ ସହର ଠାରୁ ୮ କିଲୋମିଟର ଦୂର ଏବଂ ପୋର୍ଟ-ଓ-ପ୍ରିନ୍ସଠାରୁ ପାଖାପାଖି ୧୫୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପ ପରେ ୨୮୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦେଶର ଦକ୍ଷିଣ ପ୍ରାନ୍ତରେ କେବଳ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଭୂକମ୍ପରେ ୨୮୬୮ ଘର ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ୫୪୧୦ଟି ଆଂଶିକ କ୍ଷତି ହୋଇଛି ।
ଏନେଇ ହାଇତିର ପ୍ରଧାନମନ୍ତ୍ରୀ ଆରିଏଲ ହେନରୀ ଦେଶରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ଦେଶରେ ଜରୁରୀକାଳୀନ ଏକ ମାସ ପାଇଁ ଜାରି ରହିବ । ସେ କହିଛନ୍ତି ଯେ, ଭୂକମ୍ପ ଦକ୍ଷିଣ-ପୂର୍ବାଚଂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ପୀଡ଼ିତଙ୍କୁ ମେଡିକାଲ ସହାୟତା ଆବଶ୍ୟକ ଅଛି ବୋଲି ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ବିପନ୍ନ ଅଂଚଳକୁ ଆମେ ମେଡିକାଲ ଟିମ ପଠାଇଛୁ । ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି ।