କାବୁଲରେ ଭୟଙ୍କର ବିସ୍ଫୋରଣ, ମୃତାହତଙ୍କ ସୂଚନା ନାହିଁ
କାବୁଲ : ପୁଣିଥରେ ତାଲିବାନ କବଳିତ ଆଫ୍ଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ ଘଟିଛି। ରବିବାର କାବୁଲର ଏକ ମସଜିଦରେ ବିସ୍ଫୋରଣ ଘଟିବା ଫଳରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ସଂଖ୍ୟାଧିକ ଆହତ ହୋଇଛନ୍ତି। କାବୁଲରେ ଅବସ୍ଥିତ ଏକ ମସଜିଦର ପ୍ରବେଶ ଦ୍ୱାରରେ ଆଜି ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଥିବା ତାଲିବାନର ଜନୈକ ପ୍ରବକ୍ତା ସୂଚନା ଦେଇଛନ୍ତି। ତାଲିବାନର ମୁଖପାତ୍ର କହିଛନ୍ତି ଯେ ରବିବାର ଦିନ ଆଫଗାନିସ୍ତାନର ରାଜଧାନୀରେ ଏକ ମସଜିଦ ପ୍ରବେଶକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଯାଇଥିଲା। କାବୁଲର ଇଦ୍ଗା ମସଜିଦକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ଙ୍କ ମା’ଙ୍କ ପାଇଁ ଏକ ସ୍ମୃତିସଭାର ଆୟୋଜନ କରାଯାଉଥିଲା।
ଏହି ବିସ୍ଫୋରଣ ଘଟାଇଥିବା ନେଇ କୌଣସି ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଦାବି କରିନାହାଁନ୍ତି। ତେବେ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନୀ ଆତଙ୍କବାଦୀଙ୍କ ବିରୋଧରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ଗୋଷ୍ଠୀର ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଏବଂ ପରସ୍ପର ବିରୋଧରେ ଏହି ଆତଙ୍କବାଦ ବୃଦ୍ଧି ଘଟଣା ଦୁଇ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ଆଗକୁ ବ୍ୟାପକ ବିବାଦ ହେବାର ସମ୍ଭାବନା ସୃଷ୍ଟି କରିଛି। ଅନ୍ୟପକ୍ଷରେ ଶନିବାର ଜଲାଲାବାଦ ସହରରେ କିଛି ବନ୍ଧୁକଧାରୀ ଦୁଇଜଣ ତାଲିବାନୀ ଯୋଦ୍ଧା ଓ ଦୁଇଜଣ ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିଲେ। ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଇସଲାମିକ ଷ୍ଟେଟ (ଆଇଏସ)ର ଆତଙ୍କବାଦୀମାନେ ନଙ୍ଗରହାର ଠାରେ ରହିଛନ୍ତି। ଏହାପୂର୍ବରୁ ତାଲିବାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣ ପାଇଁ ନିଜକୁ ବି ଆଇଏସ ଦାୟୀ କରିଛି। ନଙ୍ଗରହାର କୃଷି ବିଭାଗର ପୂର୍ବ ପ୍ରବକ୍ତା କହିଛନ୍ତି କି ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା କିଛି ସାଧାରଣ ନାଗରିକଙ୍କ ପରିଚୟ ମିିଳିଛି। କାବୁଲର ମସଜିଦକୁ ଟାର୍ଗେଟ କରି ହୋଇଥିବା ଏହି ବିସ୍ଫୋରଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଥିବା ସେ ସୂଚନା ଦେଇଛନ୍ତି।