ବଢୁଛି ସାଇବର ଠକେଇ : ଏନିଡେସ୍କ ଆପ୍ ଡାଉନଲୋଡ୍ ନକରିବାକୁ ଡିସିପିଙ୍କ ଅନୁରୋଧ

ଭୁବନେଶ୍ୱର : ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ସାଇବର ଠକ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟିନେଇଛନ୍ତି । ତେବେ ଘଟଣା ଘଟିବାର ୨୪ ଘଂଟା ମଧ୍ୟରେ ହେଲ୍ପ ଲାଇନ ନମ୍ବରକୁ କଲ କରି ଠକେଇର ଶିକାର ହୋଇଥିବା ଲୋକ ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିପାଇଛନ୍ତି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେହିପରି ଏନିଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଛି ଓ ଏନିଡେସ୍କ ଆପ୍ଲିକେସନକୁ ଡାଉନଲୋଡ଼ ନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି କେସ୍ ପଞ୍ଜିକୃତ ହୋଇଛି । ଠକେଇ ଘଟଣାରେ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୃହ ବିଭାଗର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି କମିଶନରେଟ ପୋଲିସ । ଠକେଇ ହେବା ପରେ ଟୋଲ ଫ୍ରି ନମ୍ବରରେ ଅଭିଯୋଗ ପାଇଁ କେବଳ ଭୁବନେଶ୍ୱରରୁ ୨୮୭୨ କଲ ଆସିଥିବାବେଳେ ଭୁବନେଶ୍ୱର ବାହାରୁ ସାଢ଼େ ୩ ହଜାର କଲ ଆସିଛି । ଗୁଗୁଲ ମ୍ୟାପରୁ ସାଇବର ଠକଙ୍କ ଲୋକେସନ କମିଶନରେଟ ପୋଲିସ ଟ୍ରାକ କରୁଥିବାବେଳେ ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ଥିବାର ଡିସିପି କହିଛନ୍ତି ।