ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା : ଆଉ ଜଣେ ଗିରଫ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ଲିକ ଘଟଣାରେ ଆଉ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ସଚିନ କୁମାର । ସେ ଡିଆରଡିଓରେ ଡ୍ରାଇଭର ଭାବେ କାମ କରୁଥିଲେ । ଗିରଫ ପରେ ସଚିନକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରାଯାଉଛି । ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୫ରେ ପହଞ୍ଚିଲା । ପୂର୍ବରୁ ୪ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । କୋର୍ଟରେ ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି । ତେବେ ଏହି ସମ୍ବେଦନଶୀଳ ଘଟଣାରେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ ହୋଇଛି। ଏହି ଦଳର ନେତୃତ୍ୱ ନେଉଛନ୍ତି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇ। ତାଙ୍କ ସହିତ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସପେକ୍ଟର ଏବଂ ଜଣେ ସବ-ଇନ୍ସପେକ୍ଟର ଥିବା ବେଳେ ଅନ୍ୟଜଣେ ଅଫିସର ମଧ୍ୟ ସାମିଲ ଅଛନ୍ତି।
ଗତ ମଙ୍ଗଳବାର ଦିନ ଡିଆରଡିଓର ତଥ୍ୟ ଲିକ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ଏବେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜେରା କରିବ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କାମ କରୁଥିବା କର୍ମଚାରୀ, ପାକିସ୍ତାନର ଜଣେ ମହିଳାଙ୍କ ହନିଟ୍ରାପରେ ପଡିଥିଲେ । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ପାକିସ୍ତାନୀ ମହିଳାଙ୍କ ସହ ଅଭିଯୁକ୍ତମାନେ ନିୟମିତ ଯୋଗାଯୋଗରେ ରହିବା ସହ ଟଙ୍କା କାରବାର କରୁଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ଅଭିଯୁକ୍ତଙ୍କ ଆକାଉଂଟକୁ ଆସୁଥିଲା ପୁଳା ପୁଳା ଟଙ୍କା । ବର୍ଷେ ହେବ ଟଙ୍କା କାରବାର ଚାଲିଥିଲା । ଅନଲାଇନ ମାଧ୍ୟମରେ ଟଙ୍କା କାରବାର ହେଉ ଥିବାରୁ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ତାହା ଏଯାଏଁ ସୃଷ୍ଟ ହୋଇନାହିଁ ।ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ ଘଟଣାରେ ସାମ୍ନାକୁ ଆସୁଛି ଆହୁରି ସାଂଘାତିକ ତଥ୍ୟ । ସୂଚନା ଅନୁସାରେ, ତଥ୍ୟ ଲିକ ନେଇ ଗିରଫ ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତୁ ବେହେରାର ଅଧିକ ସମ୍ପର୍କ ଥୁଲା । ମହିଳାଙ୍କ ସହ ହ୍ୱାଟ୍ସଅପ ଭିଡିଓରେ ଭିଡିଓ କଲିଂ ଓ ଚାଟ କରୁଥିଲା ବସନ୍ତି । ଏପରିକି ଅଶ୍ଳୀଳ ଭିଡିଓ ଚାଟ ବି ହୋଇଥିବା ସାଂଘାତିକ ସତ ସାମ୍ନାକୁ ଆସୁଛି । ବସନ୍ନ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଯୋଡି ହୋଇଥିଲା । ଏପରିକି ମହିଳା ଜଣକ ଚାନ୍ଦିପୁର ଆସିବାକୁ ଚାହୁଁଥିବା ବି ଜଣାଯାଇଛି ।ତେବେ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ତଥ୍ୟ ଆଣି ତଦନ୍ତକୁ ଆଗକୁ ବଢାଯାଉଛି । ତେବେ ଡ୍ରାଇଭର ସଚିନଙ୍କ ସମେତ ଆଉ ୪ ଜଣ ଠିକା କର୍ମଚାରୀ ଗିରଫ ହେବା ପରେ ଆଉ କିଏ ଏଠିରେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ ଚାଲିଛି ।
ସୂଚନା ଯେ, ଗତ ୨୦୧୪ ମସିହାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଡିଆର୍ଡିଓର ଗୁପ୍ତ ତଥ୍ୟ ଲିକ୍ କରିବା ପ୍ରସଙ୍ଗରେ ଈଶ୍ୱର ବେହେରାକୁ ଚାନ୍ଦିପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଏନେଇ ଈଶ୍ୱରଙ୍କ ବିରୁଦ୍ଧରେ ଆଇପିସି ୧୨୦/୧୨୧-ଏ/୧୨୧-ବି ସହ ୩ ଓ ୫ ଅଫିସିଆଲ ସିକ୍ରେଟ୍ ଆକ୍ଟ ଭଳି ସଙ୍ଗିନ ଦଫା ଲାଗିଥିଲା । ଈଶ୍ୱର ଦେଶବିରୋଧି କାର୍ଯ୍ୟରେ ସଂପୃକ୍ତ ଥିବାରୁ ଏହି ସବୁ ଦଫା ଲାଗିଛି । ପରେ ଏହି ମାମଲା କ୍ରାଇମବ୍ରାଞ୍ଚ୍ ହାତକୁ ନେଇଥିଲା । ଗିରଫ ପରେ ଈଶ୍ୱର ବାଲେଶ୍ୱର ଜେଲ୍ରେ ବିଚାରାଧୀନ କଏଦୀ ଭାବେ କାଳ କାଟୁଥିଲା । ଈଶ୍ୱର ୯ ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆଇ ଏଜେଣ୍ଟଙ୍କ ସହ କଥାବାର୍ତ୍ତା ହେଉଥିଲା । ଯେଉଁ ନମ୍ବରରେ କଥା ହୋଇଥିଲା ସେହି ନମ୍ବର ଆଗରୁ +୯୧ ଲାଗିଥିଲା । ରିଟ୍ରାଇଭ୍ ଡାଟାରୁ ଜଣାଯାଇଥିଲା ଯେ ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲରୁ କଥା ହୋଇଛି । ଈଶ୍ୱରର ଭଏସ ସାମ୍ପଲ୍ ସାଇଣ୍ଟିଫିକ୍ ଲ୍ୟାବକୁ ଯାଇଥିଲା । ଯାହାକି ଈଶ୍ୱର ଆଇଏସଆଇ ଏଜେଣ୍ଟ ସହ ରେଗୁଲାର ଯୋଗାଯୋଗରେ ରହିଥିବା ଜଣାପଡ଼ିଥିଲା । ଈଶ୍ୱର ଟିଭି କିଣିବାକୁ ପଇସା ମାଗିଥିଲା ଆଇଏସଆଇ ଏଜେଣ୍ଟକୁ । ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସବୁ ଘଟଣାକୁ ଆଇଏସଆଇ ଏଜେଣ୍ଟକୁ ଜଣେଇ ଦେଉଥିଲା । ଈଶ୍ୱର ମିରଟର ଆଇଏସଆଇ ଗୁଇନ୍ଦା ଅଶିଫ ଅଲ୍ଲୀର ଯୋଗାଯୋଗରେ ଥିଲା । ଈଶ୍ୱର ଆକାଉଣ୍ଟକୁ ବିଭିନ୍ନ ସମୟରେ ବହୁତ ଟଙ୍କା ଆସିଛି । ଏଭଳିକି ବହାରଦେଶ ଆବୁଧାବିରୁ ଟଙ୍କା ଆସିବା ସହ ବିହାର, ଆଜମେର, କୋଲକାତାରୁ ବି ଟଙ୍କା ଆକାଉଣ୍ଟକୁ ଆସିଛି । ଈଶ୍ୱରର ଆଇଏସ୍ଆଇ ଏଜେଣ୍ଟଙ୍କ ସହ ୬୬୦ ସେକେଣ୍ଡର କଥା ବାର୍ତ୍ତା ହେଉଛି ଆଇଏସ୍ଆଇ ଲିଙ୍କର ବଳିଷ୍ଠ ପ୍ରମାଣ । ଉକ୍ତ ମାମଲାକୁ ବିଚାର କରି ଗତ ୨୦୨୧ ଫେବୃୟାରୀ ୧୧ ତାରିଖରେ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରି ଈଶ୍ୱରକୁ ଦଣ୍ଡିତ କରିଥିଲେ । ପ୍ରକାଶିତ ରାୟ ଅନୁସାରେ ଈଶ୍ୱର ବେହେରା କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଥିଲା । ସେ ବାଲେଶ୍ୱର ଜିଲା କାରାଗାରରେ ଆଜୀବନ ସଜା ଭୋଗୁଛି ।