ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା : ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ମଞ୍ଜୁର
ବାଲେଶ୍ଵର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ଲିକ ଘଟଣାର ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ମଞ୍ଜୁର । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଲେ ବାଲେଶ୍ୱର କୋର୍ଟ । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ଵରରୁ କଟକକୁ ଅଣାଯାଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍ ମାରାଥନ ଜେରା କରିବ ବୋଲି ଜଣାଯାଇଛି। କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଏହି ଅଭିଯୁକ୍ତଙ୍କୁ ଜେରା କରିବ । ଏହି ଟିମରେ ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଅଛନ୍ତି। ସମସ୍ତ ଦିଗକୁ ନେଇ ମୂଳରୁ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ଏଡିଜି ଶ୍ରୀ ପଣ୍ଡା କହିଛନ୍ତି ଯେ, ସମସ୍ତ ଦିଗକୁ ନେଇ ଆରମ୍ଭରୁ ତଦନ୍ତ କରାଯିବ । ଅଭିଯୁକ୍ତମାନେ କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ଟ୍ରାନସଫର ହୋଇଛି, ସେମାନଙ୍କ ସମ୍ପର୍କୀୟମାନଙ୍କ ଏଥିରେ ଲିଙ୍କ୍ ଅଛି କି ନାହିଁ, ଟଙ୍କା ଟ୍ରାଞ୍ଜେକସନ କଣ ଲାଗି ହୋଇଛି, ଏବଂ କେତେ ଟଙ୍କା ସେମାନେ ପାଇଛନ୍ତି ସେନେଇ ବି ତଦନ୍ତ ହେବ। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ଜେରା କରାଯିବ। ଏହିପରି ଅନେକ ପ୍ରଶ୍ନକୁ ନେଇ ଜେରା କରାଯିବ । ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବୁ। କେନ୍ଦ୍ରୀୟ ସଂସ୍ଥା ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବେ। ସୂଚନା ଯେ, ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ କିଛି ଦିନ ତଳେ ପୋଲିସ ୪ଜଣ ଗିରଫ ହୋଇଥିଲେ । ଏହାପରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ୪ ଜଣ ହେଲେ ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର, ବାଲେଶ୍ଵର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ। ଏହି ୪ ଅଭିଯୁକ୍ତ ଆଇଟିଆରର ୩ ନମ୍ବର ଲଞ୍ଚ ପ୍ୟାଡ୍ ରେ କାମ କରୁଥିଲେ। ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର ଏସି ଅପରେଟର୍ ଭାବେ କାମ କରନ୍ତି। ସେହିପରି ହେମନ୍ତ କୁମାର ମିସ୍ତ୍ରୀ ଡିଜି ଅପରେଟର୍ ଭାବେ କାମ କରୁଥିବା ବେଳେ ତାପସ ରଞ୍ଜନ ନାୟକ ମେନ୍ ଗେଟ୍ କର୍ମଚାରୀ ଭାବେ କାମ କରନ୍ତି। ସେମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ସନ୍ଦେହ କରାଯାଉଛି। ଯାହାର ପକ୍କା ତଥ୍ୟ ପାଇବା ପରେ ପୋଲିସ ସମସ୍ତଙ୍କୁ ଗିରଫ କରିଛି। ସେପଟେ ଏନ୍ଆଇଏ ଟିମ୍ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି ।