ଓଡ଼ିଶା ଫେରିବ ‘ଡାକୋଟା’ ବିମାନ
ଭୁବନେଶ୍ୱର : ଓଡ଼ିଶାକୁ ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’ ବିମାନ । ‘ଡାକୋଟା’କୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ‘ଡାକୋଟା’ ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଛି । ତେବେ ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଛି । ଡାକୋଟା ଆସିବା ପରେ ଏହାକୁ ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବିଜୁବାବୁଙ୍କ ‘ଡାକୋଟା’ ଏବେ କୋଲକତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ୧୯୪୭ ଅକ୍ଟୋବରରେ ଜାମ୍ମୁ ଓ କାଶ୍ମୀରରେ ଲାଗିରହିଥିଲା ଅସ୍ଥିରତା । ସେହି ସମୟରେ ମହାରାଜା ହରି ସିଂଙ୍କ ରାଜୁତିକୁ ଚାଲେଞ୍ଜ କରି ଏହାକୁ ଅକ୍ତିଆରକୁ ନେବା ପାଇଁ ପାକିସ୍ତାନ ଜୋରଦାର ଚେଷ୍ଟା ଚଳାଇଥାଏ । ଶେଷରେ ଭାରତ ସରକାରଙ୍କ ସାହାଯ୍ୟ ଲୋଡ଼ିଲେ ହରି ସିଂ । ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଅନୁରୋଧ କଲେ । ସେନା ପଠାଇ ଶ୍ରୀନଗର ରକ୍ଷା କରିବାକୁ ଅନୁରୋଧ କଲେ । ଏହି ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରବାଦପୁରୁଷ ତଥା ଦୁର୍ଦ୍ଧର୍ଷ ପାଇଲଟ୍ ବିଜୁ ପଟ୍ଟନାୟକ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରି ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ପହଞ୍ଚାଇବାର ଗୁରୁଦାୟିତ୍ୱ ନେଇଥିଲେ । ଅକ୍ଟୋବର ୨୭, ୧୯୪୭ରେ ହେଲା ଏହି ଦୁଃସାହସିକ ଅଭିଯାନ । ସୂର୍ଯ୍ୟ ଉଇଁବା ଆଗରୁ ଡିସି-ଥ୍ରୀ ଡାକୋଟା ବିମାନ ଧରି ଦିଲ୍ଲୀ ପାଲାମ ଏୟାରପୋର୍ଟରୁ ଶ୍ରୀନଗର ଅଭିମୁଖେ ବିଜୁ ବାବୁ ବାହାରିଥିଲେ । ପ୍ରତିପକ୍ଷର ରାଡାରକୁ ଚକ୍ମା ଦେଇ ଓ ଗୁଳିଗୋଳାକୁ ଖାତିର ନକରି ଶିଖ୍ ରେଜିମେଣ୍ଟର ଯବାନଙ୍କୁ ଭୋରରୁ ଭୋରରୁ ଶ୍ରୀନଗରେ ବିଜୁ ବାବୁ ପହଞ୍ଚାଇ ଦେଇଥିଲେ । ତେବେ ଏହି ଡାକୋଟା ବିମାନ ସହିତ ବିଜୁ ବାବୁଙ୍କ ସ୍ମୃତି ବିଜଡ଼ିତ ଥିବାରୁ ଏହାକୁ ଓଡ଼ିଶା ଆଣିବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିଲା । ତେବେ କଟକରେ ବିଜୁବାବୁଙ୍କ ବାସଭବନ ସମ୍ମୁଖରେ ଥିବା ବିସ୍ତିର୍ଣ୍ଣ ପଡ଼ିଆରେ ଏହାକୁ ରଖାଯିବା ପାଇଁ ପ୍ରଥମେ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ସମୟରେ ସବୁ ଚୁପଚାପ ହୋଇଯାଇଥିବାବେଳେ ଆଜି ପରିବହନ ମନ୍ତ୍ରୀ ଡାକୋଟା ବିଷୟରେ କହି ବିଜୁବାବୁଙ୍କ ସ୍ମୃତିକୁ ବିଜୁପ୍ରେମୀମାନଙ୍କ ମଧ୍ୟରେ ଉଦ୍ଯିବିତ କରାଇଛନ୍ତି ।