ପୁଣି ଡରାଉଛି କରୋନା, ଦେଶରେ ଦୈନିକ ସଂକ୍ରମଣ ଟପିଲା ୧୦ ହଜାର

ଆଉ ୧୦,୧୫୮ ସଂକ୍ରମିତ ଓ ୧୯ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣି ଡରାଉଛି କରୋନା। ଦିନକୁ ଦିନ ବଢୁଛି ସଂକ୍ରମଣ। ଦୈନିକ ସଂକ୍ରମଣ ଟପିଲା ୧୦ହଜାର । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୫୮ ନୂଆ କରୋନା ମାମଲା ଆସିଛି। ଫଳରେ ମୋଟ ସକ୍ରିୟ ମାମଲା ୪୪,୯୯୮କୁ ବୃଦ୍ଧି ପାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୧୫୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୫୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୮୬,୧୬୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୯ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୦୩୫କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୬.୯୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୩.୬୭% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୨,୧୦,୧୨୭। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୧% ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଦେଶରେ ଦୈନିକ ପଜିଟିଭିଟି ହାର ୪.୪୨% ଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୪.୦୨% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୯୯୮କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୧୦%। ଗତ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଭାରତରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ସମୁଦାୟ ୨,୨୦,୬୬,୨୪,୬୫୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୨,୨୯,୯୫୮ଟି ନମୁନା।