ଜୱାଦ ମୁକାବିଲା : ୩ ରାଜ୍ୟ ପାଇଁ ଆଲର୍ଟରେ ୪୬ ଏନଡିଆରଏଫ ଟିମ
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଜୱାଦର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବାତ୍ୟା ଜୱାଦକୁ ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନ ଫୋର୍ସ (ଏନଡିଆରଏଫ)କୁ ଆଲର୍ଟ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ଅତୁଲ କର୍ବାଲ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦକୁ ମୁକାବିଲା କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରେଦଶ ଓ ପଶ୍ଚିମବଙ୍ଗରେ ୪୬ଟି ଏନଡିଆରଏଫ ଟିମ ପଠାଯାଇଛି । ଏହା ବ୍ୟତିତ ୧୮ଟି ଏନଡିଆରଏଫ ଟିମକୁ ଆଲର୍ଟ କରି ରଖାଯାଇଛି । ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ସହ ରିଲିଫ କାର୍ଯ୍ୟ ପାଇଁ ଜରୁରୀକାଳିନ ଭିତ୍ତିରେ କରିବା ପାଇଁ ଟିମକୁ ଆଲର୍ଟ କରାଯାଇଛି।
ଭାରତୀୟ ପାଣିପଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦ ଆସନ୍ତା ୫ ତାରିଖ ଦିନ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି । ବାତ୍ୟାର ପ୍ରଭାବ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପରେ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଓଡିଶା ପୁରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁର ଓ ବିଶାଖାପାଟଣାରୁ ୫୦୦ କିଲୋମିଟରୁ ଦୂରରେ ରହିଛି । ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଗତି ପରିବର୍ତ୍ତନ କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ସୂଚନା ଯେ, ସାମୁଦ୍ରିକ ବାତ୍ୟାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି । ବାତ୍ୟାର ସ୍ଥିତି ଓ ଗିତିବିଧି ଉପରେ ଆଲୋଚନା କିରଛନ୍ତି ସମସ୍ତ ପ୍ରକାରର କେନ୍ଦ୍ରିୟ ଟିମକୁ ଆଲର୍ଟ କରିବା ସହ ସଫଳ ଭାବରେ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାରେ ସମ୍ପୂର୍ଣ୍ଣ ଭାବରେ ଜିରୋ କାଜୁଆଲିଟି ଉପରେ ଧ୍ୟାନ ଦେଇଛନ୍ତି ସରକାର।